ବଣାଇ:୧୭/୬(ସତ୍ୟାନ୍ୟୁଜ) ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଲାଗି ଆୟୋଜନ କରାଯାଇଥିବା ଗ୍ରାମସଭାରେ ପ୍ରବଳ ପ୍ରତିବାଦ ହେବାରୁ ସଭା ବନ୍ଦ କରିବାକୁ ପଡ଼ିଲା। ଏପରି ପରିସ୍ଥିତି ଉତ୍ପନ୍ନ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ୍ ରେ। ଏହି ଜଙ୍ଗଲ ଜମିରେ ବନ ବିଭାଗ ପକ୍ଷରୁ ବହୁ ଗଛ ଲଗା ଯାଇଛି। ଏବେ ଏହାର କିସମ ପରିବର୍ତ୍ତନ କରି ଏକ ଘରୋଇ କମ୍ପାନୀ ହାତରେ ଟେକି ଦେବାର ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି। କିସମ ପରିବର୍ତ୍ତନ ପରେ ଇଡକୋ କୁ ଜମି ହସ୍ତାନ୍ତର ହେବ ଏବଂ ପରେ ଇଡକୋ ଏହି ଜମିକୁ କାରଖାନା ପାଇଁ ବିନିଯୋଗ କରିବା ଅଭିଯୋଗ ଆସିଛି। ପଲହୁଣୀପଡା ବ୍ଲକ ର ଗମଲେଇ ଗ୍ରାମ ନିକଟରେ ଥିବା ଭାସ୍କର ପ୍ଲାଣ୍ଟ ର ସାମ୍ପ୍ରସରଣ ଲାଗି ଏହି ଜଙ୍ଗଲ ଜମି କୁ ଇଡ଼କୋ ମାଧ୍ୟମରେ ଟେକି ଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଆୟୋଜିତ ଗ୍ରାମ ସଭାରେ ଉପଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଡିଓ , ତହସିଲଦାର ପର୍ଯ୍ୟନ୍ତ ଅଧିକାରୀ ଥିଲେ। ମାତ୍ର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କୁ ବିରୋଧ କରି ଗ୍ରାମବାସୀ ମାନେ ହଟ୍ଟଗୋଳ କରିବା ସହ ଏକ ବିରୋଧ ପତ୍ର ଅଧିକାରୀଙ୍କୁ ଦେଇଥିଲେ। ଉତ୍ତେଜନା ହେବାରୁ ପଲ୍ଲୀ ସଭା ସମ୍ପୂର୍ଣ ହୋଇ ପାରି ନଥିଲା। ତେବେ ଶିଳ୍ପ ଲାଗି ଶହଶହ ଗଛ କାଟିବା ଏବଂ ଜଙ୍ଗଲ ଜମିକୁ କାରଖାନା ଲାଗି ଦେବାକୁ ପ୍ରବଳ ବିରୋଧ ହେଉଛି।