ଖାସି, ଟଙ୍କା ଓ ଚାଉଳ ଦେଇ ନପାରିବାରୁ ୧୨ ବର୍ଷ ଧରି ସମାଜରୁ ବାସନ୍ଦ! ମା’ଙ୍କ ଶେଷ ସମୟକୁ ନେଇ ଝିଅର ଚିନ୍ତା
ବଣାଇ:୧୦/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଖାସି, ଟଙ୍କା ଓ ଚାଉଳ ଦେଇ ସମାଜରେ ମିଶିବା ପାଇଁ ନିର୍ଦ୍ଧାରିତ ଦଣ୍ଡ ଭରିବାକୁ ସକ୍ଷମ ନହେବାରୁ ଜଣେ ମହିଳା ଓ ତାଙ୍କ ଝିଅ ଗତ ୧୨ ବର୍ଷ ଧରି ସମାଜରୁ ବାସନ୍ଦ ହୋଇ ରହିଥିବା ଅଭିଯୋଗ ହୋଇଛି।
ପ୍ରଭାତି ମୁଣ୍ଡାରୀ ନାମକ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବର୍ଷକେତେ ପୂର୍ବରୁ ସେ ଅନ୍ୟତ୍ର ଚାଲିଯାଇଥିଲେ। ପରେ ନିଜ ଗାଁକୁ ଫେରିଥିଲେ ମଧ୍ୟ ସମାଜ ତାଙ୍କୁ ଗ୍ରହଣ କରିନଥିଲା। ସମାଜ ପକ୍ଷରୁ ଖାସି, ଟଙ୍କା ଓ ଚାଉଳ ଦେବା ପରେ ମାତ୍ର ପୁନର୍ବାର ସମାଜରେ ମିଶିବାକୁ କୁହାଯାଇଥିଲା। କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ସେ ଏହି ସର୍ତ୍ତ ପୂରଣ କରିପାରିନଥିଲେ।
ବର୍ତ୍ତମାନ ପ୍ରଭାତିଙ୍କ ବୃଦ୍ଧା ମା’ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି। କଥା କହିବା କିମ୍ବା ଉଠିବାକୁ ମଧ୍ୟ ସକ୍ଷମ ନୁହନ୍ତି। ଝିଅ ଏକାକୀ ତାଙ୍କର ସେବା କରୁଥିବା ବେଳେ ସରକାରୀ ଚାଉଳ ହିଁ ସେମାନଙ୍କ ଜୀବନଧାରଣର ପ୍ରମୁଖ ଆଧାର ବୋଲି କହିଛନ୍ତି। ପୁଅ ଓ ବୋହୂ ଅଲଗା ରହୁଥିବାରୁ ଦୁହେଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି।
ପ୍ରଭାତିଙ୍କ ସବୁଠୁ ବଡ଼ ଚିନ୍ତା ହେଉଛି, ଯଦି ତାଙ୍କ ମା’ଙ୍କର ମୃତ୍ୟୁ ହୁଏ, ତେବେ ସମାଜ ସହଯୋଗ ନକଲେ ଶେଷକୃତ୍ୟ କିପରି କରିବେ। ସେ କହିଛନ୍ତି, “ମୋର ଭୁଲ ଥିଲା ଯେ ମୁଁ ଅନ୍ୟତ୍ର ଚାଲିଯାଇଥିଲି। କିନ୍ତୁ ପରେ ତ ଘରକୁ ଫେରି ଆସିଛି। ତା’ ପାଇଁ ଏତେ ବଡ଼ ଦଣ୍ଡ କାହିଁକି? ମୁଁ କେଉଁଠୁ ଖାସି, ଟଙ୍କା ଓ ଚାଉଳ ଦେବି?”
ଏହି ଘଟଣାକୁ ନେଇ ଗ୍ରାମର କିଛି ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମାଜ ଥିଲେ ମଧ୍ୟ ଏଭଳି ଭାବେ ଜଣେ ପରିବାରକୁ ଦୀର୍ଘ ୧୨ ବର୍ଷ ଧରି ଅଲଗା କରି ରଖିବା ଅମାନବୀୟ ବୋଲି ସେମାନେ କହିଛନ୍ତି। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଏନେଇ ବଣାଇର ବରିଷ୍ଠ ଆଇନଜୀବୀ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ସାମାଜିକ ଭାବେ ବାସନ୍ଦ କରିବା କିମ୍ବା ମୌଳିକ ଅଧିକାରରୁ ବଞ୍ଚିତ କରିବା ଆଇନ ଦୃଷ୍ଟିରୁ ଗୁରୁତର ବିଷୟ ହୋଇପାରେ।
ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ପଚରାଯାଇଥିବା ବେଳେ ସେ ବିଷୟଟି ସମ୍ପର୍କରେ ଅବଗତ ନଥିବା କହିଥିଲେ। ତେବେ ସମ୍ବାଦ ମାଧ୍ୟମରୁ ଜାଣିବା ପରେ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା