ସୁନ୍ଦରଗଡ଼ ସହରରେ ଏବେ ମନ୍ଦିର କବାଟ ଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ ରହିଛି । ଗତ ଦୁଇ ତିନି ମାସ ହେଲା ଏହି ଚୋର ଦଳ ବିଭିନ୍ନ ମନ୍ଦିର ରୁ ଗହଣା ସହ ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ହାତରେ ଧରା ପଡିନାହାନ୍ତି । ଗତକାଲି ରାତିରେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ମହାଦେବ ପଡା ଇବ ନଦୀ କୁଳରେ ଥିବା ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ରୁ ପୁଣି ଚୋରି ହୋଇଛି ।
ମନ୍ଦିର ର ଗ୍ରୀଲ ଭାଙ୍ଗି ଦୁଇଟି ଶିବ ଲିଙ୍ଗ ଉପରେ ଥିବା ରୁପା ନାଗ ଚୋରି କରିନେଇଛନ୍ତି ଚୋର । ଦୁଇ କିଲୋଗ୍ରାମ ଓଜନର ଦୁଇଟି ରୂପା ନାଗ ଚୋରି ହୋଇଥିବା ଜଣାପଡିଛି । ସକାଳୁ ପୁଜକ ମନ୍ଦିର ଆସି ଖୋଲିଲା ପରେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଛି ମାସ ହେଲା ଜଣେ ଚୋର ଏହିପରି ସୁନ୍ଦରଗଡ଼ ସହର ର ବିଭିନ୍ନ ମନ୍ଦିର ଗୁଡିକରୁ ଚୋରି କରୁଥିବା ପୋଲିସ ସନ୍ଦେହ କରୁଛି । ଏହି ସବୁ ଚୋରିର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲେ ମଧ୍ୟ ଚୋର ର କୌଣସି ପତ୍ତା ମିଳିପାରୁନାହିଁ । ବିଭିନ୍ନ ସ୍ଥାନରେ ପୋଲିସ ଅନେକ ଥର ଚଢ଼ାଉ କଲା ପରେ ମଧ୍ୟ ଚୋର ପୋଲିସ ହାତକୁ ଆସୁନାହିଁ ।

