ରାଉରକେଲା : ୩୦/୭(ସତ୍ୟାନ୍ୟୁଜ) ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍ ହୋଇଥିବା ବେଳେ ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ରାଉରକେଲାର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର ବୋଲି ଜଣାଯାଇଛି।
ମୃତକ ଦ୍ୱୟ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ। ଗତ ରାତିରେ ଉଭୟ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। ମାତ୍ର ଭୋର ୩ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି।
ଖବର ଜଣା ପଡ଼ିବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯାଇଛନ୍ତି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ଚକ୍ରଧରପୁର ଡିଭିଜନ୍ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ
ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଆଜି ଭୋର୍ ୩ଟା ୪୫ମିନିଟରେ ଘଟିଥିଲା। ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା ।
ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍ର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ବଗି
ଲାଇନଚ୍ୟୁତ ହେଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।
ଦୁର୍ଘଟଣା ପରେ ପରେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ଏଥିସହ ୧୭ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ ହୋଇଛି।