ରାଉରକେଲା : ନାବାଳକ ଏବଂ ନାବାଳିକା ଗାଡ଼ି ଚଳାଇବା ଉପରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ।। ଆଜି ଠାରୁ ଚେକିଂ କଡାକଡି।
ରାଉରକେଲା : ୨୯/୭(ସତ୍ୟାନ୍ୟୁଜ) ନାବାଳକ ଏବଂ ନାବାଳିକା ଗାଡି ଚଳାଇବାକୁ କଡ଼ା ବାରଣ ଥିବା ସ୍ୱତ୍ତେ ଏହି ଆଇନ୍ ର ଖୋଲା ଖୋଲି ଉଲଂଘନ ହେଉଥିଲା। ଏହାକୁ ରୋକିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜିଠାରୁ ରାଉରକେଲା ସମେତ ସାରା ରାଜ୍ୟରେ ଚେକିଂ କଡ଼ା କଡି କରା ଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି।
ଛକ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରୁଛନ୍ତି ପୁଲିସ ଓ ପରିବହନ ବିଭାଗ କର୍ମଚାରୀ। ଯଦି ନାବାଳକ ଗାଡି ଚଳାଇବା ବେଳେ ଧରାପଡେ ତେବେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ।
ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇସାରିଲାଣି। ଅଭିଭାବକଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ନାବାଳକ ମାନଙ୍କୁ ଗାଡି ଦେଉଛନ୍ତି। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ରୁ ୧୨ବର୍ଷର ପିଲାମାନେ ଗାଡ଼ି ଚଳାଉଥିବା ଦେଖା ଯାଉଛି । ହେଲମେଟ୍ ମଧ୍ୟ ପିନ୍ଧୁ ନାହାଁନ୍ତି।
ପରିବହନ ବିଭାଗ ପକ୍ଷରୁ କୁହା ଯାଇଛି ଯେ ରିସ୍କ ନେଇ ତଥା ନିଜ ପିଲାର ଜୀବନକୁ ବାଜି ଲାଗି ଅଭିଭାବକମାନେ ସେମାନଙ୍କୁ ଗାଡି ଦେବା ଉଚିତ ନୁହେଁ। ଯେତେ ବୁଝାଇଲା ପରେ ବି ସେମାନେ ବୁଝିବାକୁ ନାରାଜ। ତେଣୁ ଆମେ ଆକ୍ସନ ନେବାକୁ ବାଧ୍ୟ ହୋଇଛୁ। ଯଦି ନାବାକାଳ ଗାଡି ଚଳାଇବା ବେଳେ ଧରା ପଡନ୍ତି ତେବେ ୨୫ ହଜାର ଟଙ୍କା ଯାଏଁ ଫାଇନ ଦେବାକୁ ପଡିବ। ଗାଡ଼ ଜବତ କରାଯିବ। ଏପରିକି ଦରକାର ପଡିଲେ ଅଭିଭାବକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି।