ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ରାଉରକେଲା ବଜାରରୁ ଉଭାନ୍ ହୋଇ ଯାଇଛି ବେଙ୍ଗଲ ଆଳୁ। ଗୋଦାମରେ ଆଳୁ ନଥିବା ବେଳେ ଖୁଚୁରା ମାର୍କେଟ ରେ ଆଳୁ ସରି ଆସିଲାଣି। ପଶ୍ଚିମବଙ୍ଗ ରୁ ଆଳୁ ଆସି ପାରୁ ନଥିବାରୁ ବଜାରରେ ଏପରି ସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଆଳୁ ରେଟ୍ ବଢ଼ି ଚାଲିଛି। ୫ ଦିନ ମଧ୍ୟରେ ଆଳୁ କେଜି ପିଛା ୧୦ ରୁ ୧୫ ଟଙ୍କା ବୃଦ୍ଧି ପାଇଛି। ଏବେ ଆଳୁ ଖୁଚୁରା ବଜାରରେ କିଲୋ ପିଛା ୪୦ ରୁ ୪୫ ଟଙ୍କା ରେ ବିକ୍ରି ହେଉଛି।
ଓଡିଶା – ପଶ୍ଚିମବଙ୍ଗ ସୀମା ଚେକ୍ ଗେଟ୍ ରେ ଅଟକି ରହିଛି ଶହ ଶହ ଆଳୁ ବୋଝେଇ ଟ୍ରକ। ଗାଡ଼ି ଓଡ଼ିଶା ପ୍ରବେଶ କରାଇବାକୁ ଗେଟ୍ ରେ କେତେକ ଭ୍ରଷ୍ଟ ଅଧିକାରୀ ଆଳୁ ଟ୍ରକ୍ ପିଛା ୫୦ ହଜାର ଟଙ୍କା ଦାବି କରୁଛନ୍ତି। ଫଳରେ ବ୍ୟବସାୟୀ ମାନେ ଆଳୁ ଆଣୁ ନାହାନ୍ତି। ଆଜି ଉତ୍ତର ପ୍ରଦେଶ ରୁ ଦୁଇ ଟ୍ରକ୍ ଆଳୁ ଆସି ରାଉରକେଲା ପହଞ୍ଚିଛି। ସିଏ ପୁଣି ଗୋଲ ଆଳୁ। ଏହି ଆଳୁ ରୁ ବହୁ ପରିମାଣର ପଚା ଆଳୁ ବାହାରୁ ଥିବାର ଅଭିଯୋଗ ହେଉଛି। ପଶ୍ଚିମବଙ୍ଗ ରେ ଆଳୁ ବ୍ୟବସାୟୀ ମାନେ ଧର୍ମଘଟ କରି ଥିବାରୁ ଏପରି ସ୍ଥିତି ଉପୁଜିଛି। ଏବେ ରାଜ୍ୟ ସରକାର ଉତ୍ତର ପ୍ରଦେଶ ରୁ ଆଳୁ ଆଣି ବଜାର ଚାହିଦା ମେଣ୍ଟାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।