ଆରଏମସି ତରଫରୁ ଅନୁଷ୍ଠିତ ଜନଶୁଣାଣିରେ ୩୬ଟି ଅଭିଯୋଗର ହେଲା ଶୁଣାଣି
ରାଉରକେଲା, ୧୨/୭ (ସତ୍ୟାନ୍ୟୁଜ): ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ବିଭିନ୍ନ ଆପତ୍ତି ତଥା ଅଭିଯୋଗର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଆୟୋଜନ କରାଯାଉଛି । ଏହି କ୍ରମରେ ଶୁକ୍ରବାର ଭଣ୍ଡାଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏଥିରେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଆପତ୍ତି ଶୁଣିବା ସହ ଏହାର ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣିରେ ମୋଟ ୩୬ଟି ଅଭିଯୋଗର ଶୁଣାଣି ହୋଇଥିଲା । ୱାର୍ଡ ନମ୍ବର ୩ ଅଧିନରେ ଥିବା ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାରତରଙ୍ଗ, ଓରାମଟୋଲା, ଭଣ୍ଡାଟୋଲା, ପାତ୍ରଟୋଲା, ମୁଣ୍ଡାରୀଟୋଲା, ତନ୍ତୀଟୋଲା, ଇନ୍ଦିରାଆବାସ କଲୋନୀର ଅଭିଯୋଗକାରୀ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆସିଥିଲେ। ସେଥିମଧ୍ୟରେ ମୁଖ୍ୟତଃ ରାସ୍ତା ନିର୍ମାଣ, ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, କଲ୍ୟାଣ ମଣ୍ଡପ ନିର୍ମାଣ, ପାଠାଗାର ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ଜମିଜମା ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ଦିବ୍ୟାଙ୍ଗ ସହାୟତା, ଜଳସେଚନ, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ, ପାନୀୟ ଜଳ ସମସ୍ୟା ଆଦି ଅଭିଯୋଗ ରହିଥିଲା।
ଏହି ଜନଶୁଣାଣିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ପୌରାୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଏହା ପରେ କମିଶନର ସ୍ଥାନୀୟ ଅଞ୍ଚଳ ଗସ୍ତ କରିଥିଲେ। ସେ ତନ୍ତୀଟୋଲା, ଝାରତରଙ୍ଗ ଯାଇ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହ ରାସ୍ତାଘାଟର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସୁଗମନାଗମନ ନିମନ୍ତେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ସେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।