ରାଉରକେଲା : ଶ୍ରାବଣୀ ମେଳା ପାଇଁ ପ୍ରସ୍ତୁତି ବୈଠକ।। ସ୍ଵଚ୍ଛତା ଏଵଂ ଖାଦ୍ୟର ମାନ ଉପରେ ଗୁରୁତ୍ବ ଦିଆଯିବ।। ବେଦବ୍ୟାସ ପୀଠର ବିକାଶ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ।

0 374

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୁଲାଇ ୨୧ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା, ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି

ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ): ଆସନ୍ତା ଜୁଲାଇ ୨୧ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପୂର୍ବରୁ ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମଳନୀ କକ୍ଷଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ ଲୋଡ଼ିଥିଲେ।

ଆସନ୍ତା ଜୁଲାଇ ୨୧ ତାରିଖରୁ ଆୟୋଜନ ହେବାକୁ ଥିବା ଏହି ମେଳା ଜୁଲାଇ ୨୮, ଅଗଷ୍ଟ ୪, ୧୧ ଓ ୧୮ ତାରିଖ ରବିବାର ଦିନ ଆରମ୍ଭ ହୋଇ ଆରଦିନ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମେଳାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣରେ ପୁଲିସ ମୁତୟନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ନିୟମିତ ଭାବେ ଷ୍ଟଲ୍ ଗୁଡ଼ିକରେ ଖାଦ୍ୟ ଓ ପାନୀୟର ମାନ ପରୀକ୍ଷଣ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଗୁରୁତ୍ୱାରୋପ କରିଥିଲେ। ବହୁ ସଂଖ୍ୟାରେ ଜନସମାଗମକୁ ଲକ୍ଷ୍ୟରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ସୁରକ୍ଷା ପାଇଁ ବ୍ୟାରିକେଡ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ମେଳା ପୂର୍ବରୁ ବେଦବ୍ୟାସ ପୀଠରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ଶେଷ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆଖିଆଗରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପ୍ରାଥମିକ ଚିକିତ୍ସା ନିମନ୍ତେ ମେଳାରେ ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ । ଏଥିସହ ମେଳାକୁ ସଫଳ ଭାବେ ପରିଚାଳନା ପାଇଁ ନିମନ୍ତେ ସ୍ଵେଚ୍ଛାସେବୀ ମାନଙ୍କୁ ନିୟୋଜନ କରାଯିବ।

ଏହି ପ୍ରସ୍ତୁତି ବୈଠକରେ ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ମାନେ ପ୍ରମୁଖ ରୂପେ ଉପସ୍ଥିତ ଥିଲେ।

Leave A Reply

Your email address will not be published.