ଟ୍ରେନ ରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣ ଗିରଫ।। ଗିରଫ କଲେ ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ।

0 517

ଟ୍ରେନ୍‌ରେ ଏକ ବଡଧରଣ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛନ୍ତି ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ।

ଡକାୟତ ଗ୍ୟାଙ୍ଗର ୬ ଜଣକୁ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଡକାୟତମାନେ ହେଲେ ମାଲଗୋଦାମର ମହମ୍ମଦ ୟୁସୁଫ୍‌ (୨୨), ମହମ୍ମଦ ଅସ୍‌ରଫ (୨୨), ଦିଲ୍ଲୀର ମନିଷ କୁମାର (୨୦), ଅରସୁ ସିଂ (୨୦) , ସୁରଜ ସିଂ (୨୦) ଓ କରମପ୍ରୀତ ସିଂ (୨୦)। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଟ୍ରେନ୍‌ ଯାତ୍ରୀଙ୍କ ଠାରୁ ଲୁଟ ହୋଇଥିବା ଏଟିଏମ୍‌, ମୋବାଇଲ ଫୋନ ଓ ଟ୍ରଲି ବ୍ୟାଗ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଅଭିଯୁକ୍ତ ମାନେ ଟ୍ରେନ୍‌ ଯାତ୍ରୀ ସାଜି କୌଶଳ କ୍ରମେ ଯାତ୍ରୀଙ୍କୁ ଲୁଟୁଥିଲେ। ଫଳରେ ଯାତ୍ରୀମାନେ ଲୁଟ୍‌ର କୌଣସି ଟେର୍‌ ପାଉନଥିଲେ।ଲୁଟ ବ୍ୟତୀତ ଏହି ଯୁବକ ମାନେ ସାଇବର ଠକେଇ ରେ ମଧ୍ୟ ସାମିଲ ଥିଲେ। ଜଣେ ଯାତ୍ରୀଙ୍କ ଏଟିଏମ୍ ପାସ୍‌ୱାର୍ଡ ବ୍ୟବହାର କରି ଦୁଇଟି ଏଟିଏମ୍‌ରୁ ପାଖାପାଖି ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହି ଟଙ୍କାରେ ଭୋଜି କରିବା ସହ ଡକାୟତି ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ସୂଚନା ମୁତାବକ ମନିଷ, ଅରସୁ, ସୁରଜ ଓ କରମ ଚାରି ସାଙ୍ଗ ନାବାଳିକ ଥିବାବେଳେ ଦିଲ୍ଲୀରେ ଏକ ଚାଇଲ୍‌ଡ ହୋମ୍‌ରେ ରହୁଥିଲେ। ସାବାଳକ ହେବା ପରେ ଚାରି ବନ୍ଧୁ ଚାଇଲ୍‌ଡ ଲାଇନରୁ ଚମ୍ପଟ ମାରିଥିଲେ। ସେଠାରୁ ଟ୍ରେନ୍‌ଯୋଗେ ସିଧାସଳଖ ଚାଲି ଆସିଥିଲେ ରାଉରକେଲା ସହରକୁ। ଗତ ଦୁଇ ମାସ ତଳେ ରାଉରକେଲାରେ ପହଞ୍ଚିବା ପରେ ଗୋପବନ୍ଧୁପାଲୀରେ ଏକ ଘର ଭଡା ନେଇ ରହିଥିଲେ। ରହିବାର ମାସକ ପରେ ମାଲଗୋଦାମର ମହମ୍ମଦ ୟୁସୁଫ ଓ ମହମ୍ମଦ ଅସରଫଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। ଗତ ୨୭ ତାରିଖରେ ଏହି ୬ ଜଣ ଟ୍ରେନ୍‌ ଯାତ୍ରୀ ସାଜି ରାଉରକେଲା ଷ୍ଟେସନର ଦ୍ବିତୀୟ ଶ୍ରେଣୀ ଯାତ୍ରୀ ପ୍ରତୀକ୍ଷାଳୟରେ ଅନ୍ୟ ଯାତ୍ରୀଙ୍କ ଭଳି ବସିଥିଲେ। ସୁ‌ଯୋଗ ଉଣ୍ଡି ଯାତ୍ରୀଙ୍କ ବ୍ୟାଗ , ମୋବାଇଲ୍‌ ଫୋନ ଆଦି ଲୁଟ୍‌ କରି ସେଠାରୁ ଚମ୍ପଟ ମାରିଥିଲେ। ଗତ ଦୁଇ ଦିନ ତଳେ ଯାତ୍ରୀ ପ୍ରତୀକ୍ଷାଳୟରୁ ପୁଣି ଏକ ବ୍ୟାଗ୍‌ ଲୁଟ୍‌ କରିଥିଲେ। ପ୍ରଥମ ବ୍ୟାଗ୍‌ରୁ ମିଳିଥିବା ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଦୁଇଟି ଏଟିଏମ୍‌ କାର୍ଡ ପାଇଥିଲେ। କାର୍ଡର କଭର ଉପରେ ଲେଖାଥିବା ପାସ୍‌ୱାର୍ଡକୁ ବ୍ୟବହାର କରି ଦୁଇ ବ୍ୟାଙ୍କର ଏଟିଏମ୍‌ରୁ ୭୭ ହଜାରରୁ ଅଧିକ ଟଙ୍କା ଉଠାଇ ନେଇଥିଲେ। ଗତକାଲି ରାତିରେ ରାଉରକେଲା ଷ୍ଟେସନର ଦ୍ବିତୀୟ ପ୍ରବେଶପଥର ଏକ ନିଚ୍ଛାଟିଆ ଜାଗାରେ ଡକାୟତି ଯୋଜନା କରୁଥିବା ଆର୍‌ପିଏଫ୍‌ ଯବାନଙ୍କୁ ସୂଚନା ମିଳିଥିଲା। ଆର୍‌ପିଏଫ୍‌ର ଏକ ଟିମ୍‌ ଚଢ଼ଉ କରି ୬ ଜଣକୁ କାବୁ କରିଥିଲେ। ପରେ ସିସି ଫୁଟେଜ୍‌ରୁ ଏହି ଅଭିଯୁକ୍ତ ମାନେ ଯାତ୍ରୀଙ୍କ ବ୍ୟାଗ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.