ରାଉରକେଲା : କେ ବଳଙ୍ଗ ଥାନା ସମ୍ମୁଖରେ ଉତ୍ତେଜନା।। ପୋଲିସ୍ – ବିକ୍ଷୋଭକାରୀ ଙ୍କ ମଧ୍ୟରେ ଠେଲା ପେଲା।। ଯୁବକଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଙ୍କ ଗିରଫ ଦାବିରେ ବିକ୍ଷୋଭ।
ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ନ୍ୟାୟ ଦାବିରେ ଥାନା ଘେରାଉ, NH-520 ଅବରୋଧ
ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀଙ୍କ ବିକ୍ଷୋଭ, ପୁଲିସ ସହ ଠେଲାପେଲା
କୋଇଡା | ୨ ନଭେମ୍ବର
(ସତ୍ୟାନ୍ୟୁଜ)
ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ କୋଇଡା ଏବଂ କେ ବଳଙ୍ଗ ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଯାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ କେ. ବଲାଙ୍ଗ ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ୫୨୦ ଅବରୋଧ କଲେ ଶତାଧିକ ଆଦିବାସୀ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା।
ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମର ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗକୁ ନେଇ ଏହି ଉତ୍ତେଜନା ଦେଖାଦେଇଛି।
ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବେ ପାତୁ ମୁଣ୍ଡା କିଛି ଗୋରୁ ନେଇ ଘରକୁ ଫେରୁଥିବା ସମୟରେ ଗୋରକ୍ଷକ ପରିଚୟ ଦେଇ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ପାତୁଙ୍କୁ ପ୍ରଥମେ କେ. ବଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।
ତେବେ ଘଟଣାର ଦୁଇ ଦିନ ପରେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନଥିବାରୁ ଆଦିବାସୀ ସମାଜ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା।
ଏହାକୁ ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଧନୁତୀର ଧରି କେ. ବଲାଙ୍ଗ ଥାନା ଘେରାଉ କରିଥିଲେ।
ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ଧାରଣାରେ ବସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଦାବି ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଧାରଣାରୁ ଓହରିଥିଲେ।
ଏହି ଘଟଣାକୁ ନେଇ କେ. ବଲାଙ୍ଗ ଥାନାରେ ଉଭୟ ପକ୍ଷରୁ ଏତଲା ଦାୟର ହୋଇଥିବା ଜଣାପଡ଼ିଛି।