ସୁନ୍ଦରଗଡ଼ : ୱାଟରସେଡ୍ ନିର୍ଦ୍ଦେଶକ ଙ୍କ କାର୍ଯ୍ୟଳୟ ସହ ୩ ଟି ସହରରେ ଭିଜିଲାନ୍ସ ଚଢ଼ାଉ।। ବହୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ।
ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକରେ ଏକକାଳୀନ ଯାଞ୍ଚ
ସୁନ୍ଦରଗଡ଼:୯/୧୦
(ସତ୍ୟାନ୍ୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ସହ ସମ୍ପୃକ୍ତ ୮ଟି ସ୍ଥାନରେ ଆଜି ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ।
ପ୍ରସନ୍ନ କୁମାର ପାତ୍ର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସୁନ୍ଦରଗଡ଼ରେ କାର୍ଯ୍ୟରତ ଅଛନ୍ତି।
ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସର ଏକାଧିକ ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ଙ୍କ ଅନୁମତିକ୍ରମେ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଛି।
ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିର ଫ୍ଲାଟ୍, ମଞ୍ଚନାଥ ଭିଲ୍ଲାର ତିନୋଟି ଦୁଇମହଲା କୋଠା, ବାଲିଅନ୍ତାରେ ଥିବା ଆଉ ଏକ ଦୁଇମହଲା କୋଠା, ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସ ସମେତ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ଚଢ଼ାଉ କରାଯାଉଛି।
ଚଢ଼ାଉ ଜାରି ରହିଥିବାବେଳେ ତଦନ୍ତର ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ସତ୍ୟାନ୍ୟୁଜ୍ଆଲର୍ଟ | ସୁନ୍ଦରଗଡ଼