ଡକାୟତି ଯୋଜନା ପଣ୍ଡ, ଦୁଇ ଗିରଫ, ୩ ଫେରାର!
ଲହୁଣୀପଡା: ୯/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା।
ଦର୍ଜିଂ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ନିଛାଟିଆ ସ୍ଥାନରେ ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଛି।
ବଣାଇ ଏସଡିପିଓଙ୍କୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଲହୁଣୀପଡ଼ା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରିଥିଲା।
ଘଟଣାସ୍ଥଳରେ ପାଞ୍ଚ ଜଣ ଥିବା ବେଳେ ପୋଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ ତିନି ଜଣ ଫେରାର ହୋଇଯାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ କାବୁ କରିଥିଲା ପୋଲିସ।
ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି, ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି।
ଏହି ଅଭିଯୁକ୍ତମାନେ ଟ୍ରାନ୍ସଫର୍ମର ଚୋରି ସହ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନେଇ ସୂଚନା ଦେଇଛନ୍ତି ବଣାଇ ଏସଡିପିଓ ରାମଚନ୍ଦ୍ର ବିଶ୍ୱାଳ।
ତେବେ ଫେରାର ତିନି ଜଣଙ୍କୁ ଧରିବା ସହ ଅନ୍ୟ ଅପରାଧରେ ସେମାନଙ୍କ ସମ୍ପୃକ୍ତି ନେଇ ପୋଲିସର ତଦନ୍ତ ଜାରି ରହିଛି।