ସୁନ୍ଦରଗଡ଼ : ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ପ୍ରକ୍ରିୟା ରେ ବ୍ୟାପକ ହେରଫେର୍ ଅଭିଯୋଗ।। ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲା ଠିକାଦାର ସଂଘ।
ସୁନ୍ଦରଗଡ଼:୨୭/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ରାସ୍ତା ଓ ନିର୍ମାଣ କାର୍ଯ୍ୟରେ ଗୁରୁତର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ସମସ୍ତ ନିୟମକୁ ଅଣଦେଖା କରି ବାହାର ରାଜ୍ୟର ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ କରିଛି ଠିକାଦାର ସଂଘ। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପକ୍ଷପାତମୂଳକ ସୁବିଧା ଯୋଗାଇ ଦେଉଥିବା ଅଭିଯୋଗ କରି ସଂଘ ପକ୍ଷରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଆଜି ଘେରାଉ କରାଯାଇଥିଲା ।
ଠିକା କମ୍ପାନୀ ଅନୁପ ରାଏ ଏବଂ ରାଏ କନଷ୍ଟ୍ରକ୍ସନ ର ମାଲିକ ଜଣେ ଥିବା ବେଳେ ଗୋଟିଏ କାମ ପାଇଁ ଦୁଇଟି ଯାକ ସଂସ୍ଥା ଟେଣ୍ଡର ଭରିଛି ଯାହା ନିୟମ ବିରୁଦ୍ଧ । ତେଣୁ ତାକୁ ଅଯୋଗ୍ୟ ଘୋଷଣା କରିବା ବଦଳରେ ତାକୁ ଯୋଗ୍ୟ ବିବେଚନା କରାଯାଇଛି। ସେହି ଠିକା ସଂସ୍ଥା ବିରୁଦ୍ଧ ରେ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଥିବା ସତ୍ତ୍ବେ ତାକୁ ବିଭାଗ ପକ୍ଷରୁ ବିଶେଷ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ଠିକାଦାର ସଂଘ।
ପୂର୍ବରୁ ହେମଗିରି ବ୍ଲକ ଅନ୍ତର୍ଗତ ଟପରିଆ ପୂର୍ତ୍ତ ବିଭାଗ ରାସ୍ତାରୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ମାନ ଅତ୍ୟନ୍ତ ନିମ୍ନସ୍ତରର ଥିବା ନେଇ ବିଧାୟକ ଯୋଗେଶ କୁମାର ସିଂ ନିଜେ ସ୍ଥଳ ପରିଦର୍ଶନ କରି କାମର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ପରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଆସି ଘଟଣାର ଯାଞ୍ଚ କରିଥିଲା। ହେଲେ ତଦନ୍ତ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିବେଦନ ସାର୍ବଜନୀନ ହୋଇନାହିଁ କିମ୍ବା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବରଂ ତାକୁ ଆହୁରି କାମ ଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ସ୍ଥାନୀୟ ଯୋଗ୍ୟ ଠିକାଦାରମାନଙ୍କୁ ଜାଣିଶୁଣି ଅବହେଳା କରାଯାଉଛି। ସମସ୍ତ ବୈଧ କାଗଜପତ୍ର ଓ ଯୋଗ୍ୟତା ଥିଲେ ମଧ୍ୟ ନାନା କାରଣ ଦେଖାଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉଛି। ସୁନ୍ଦରଗଡ ଠିକାଦାର ସଂଘ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଏପରି ମନମାନି ଏବଂ ପକ୍ଷପାତମୂଳକ ପଦକ୍ଷେପ କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଶୋକ କୁମାର ସାହୁ କହିଛନ୍ତି ପୁଣି ଥରେ ସମସ୍ତ ଟେଣ୍ଡର ପେପର ର ମୂଲ୍ୟାଙ୍କନ କରାଯିବ ।