ରାଉରକେଲା:୨୬/୪(ସତ୍ୟାନ୍ୟୁଜ) ସାରା ରାଜ୍ୟକୁ ଏବେ କଲବଲ କରୁଛି ପ୍ରଚଣ୍ଡ ତାତି। ପ୍ରବଳ ତାତି ରେ ସୁନ୍ଦରଗଡ଼ ଜିଲ୍ଲା ରେ ଜନଗଣନା କାମରେ ନିୟୋଜିତ ଜଣେ ଶିକ୍ଷକ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି ୩ ଦିନ ଯାଏଁ ଲାଗି ରହିବ ଗରମ ଏବଂ ଗୁଳୁଗୁଳି। ୨୯ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ। ରାଜ୍ୟର ୧୫ ଟି ସହର ୪୦ ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ ଝାରସୁଗୁଡ଼ା ଲଗାତାର ଭାବେ ୪୪ ଡିଗ୍ରୀ ରେ ରହିଛି। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ୪୩ ଡିଗ୍ରୀ ପାଖାପାଖି ତାପମାତ୍ରା ରହୁଛି। ଗତକାଲି ରାଉରକେଲା ବିଶ୍ୱର ୨୭ ଟି ଉଚ୍ଚ ତାପମାତ୍ରା ସହର ମଧ୍ୟରେ ଥିବା ବେଳେ ଝାରସୁଗୁଡ଼ା ବିଶ୍ୱରେ ୨ ନମ୍ୱର୍ ରେ ଥିଲା।
ରାଉରକେଲାରେ ଦିନ ୧୧ଟା ପରେ ଘରୁ ବାହାରି ହେଉନାହିଁ। ଆକାଶରୁ ନିଆଁ ବର୍ଷିଲା ଭଳି ଲାଗୁଛି। ପଥଚାରୀଙ୍କ ସୁବିଧା ପାଇଁ ମହାନଗର ନିଗମ ଏବଂ ଘରୋଇ ଉଦ୍ୟମରେ ଜଳଛତ୍ର ଖୋଲା ଯାଇଥିବା ବେଳେ ରାସ୍ତାକଡ଼ରେ ଆମ୍ବ ପଣା , ଦହି ସରବତ , ପଇଡ଼ ଦୋକାନ ମାନ ଖୋଲି ଯାଇଛି। ଅଂଶୁଘାତ ସମ୍ଭାବନା ଥିବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଜରୁରୀ କାଳୀନ ଅଂଶୁଘାତ ଚିକିତ୍ସା ୱାର୍ଡ ଖୋଲା ଯାଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ଜନଗଣନା କାମରେ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜରଡା ହାଇସ୍କୁଲ ର ଶିକ୍ଷକ ଅନୁରାଗ ଏକ୍କା ଗତ ୧୭ ତାରିଖ ରୁ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଗତକାଲି ପ୍ରବଳ ଖରା ଏବଂ ଗରମରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଗରମ , ତାତି ଏବଂ ଗ୍ରୀଷ୍ମ ପ୍ରବାହ ଆହୁରି ୩ ଦିନ ରହିବ ବୋଲି ସୂଚନା ମିଳୁଛି।