ରାଉରକେଲା : ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା।। ପୂର୍ବରୁ ଥିବା ଦୁଇଟି ରହିତାଦେଶ କୁ ଉଠାଇ ଦେଲେ ହାଇକୋର୍ଟ।
ରାଉରକେଲା:୨୪/୪(ସତ୍ୟାନ୍ୟୁଜ) ଆଇନଗତ କାରଣ ଯୋଗୁଁ ପ୍ରାୟ ୧୨ ବର୍ଷ ହେଲା ରାଉରକେଲା ମହାନଗର ନିଗମର ନିର୍ବାଚନ ହୋଇ ପାରୁନଥିଲା। ଏବେ ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି। ୨୦୧୪ ନଭେମ୍ବର ମାସରେ ପୌର ପରିଷଦ କୁ ମହାନଗର ନିଗମରେ ପରିଣତ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ବିରୁଦ୍ଧରେ ୨୦୧୫ ରେ ହାଇକୋର୍ଟ ରେ ମାମଲା ଦାୟର କରା ଯାଇଥିଲା। ବିଜ୍ଞପ୍ତି ଉପରେ ଜାରି କରା ଯାଇଥିବା ରହିତାଦେଶ କୁ ଏବେ ହାଇକୋର୍ଟ ଉଠାଇ ଦେଇଛନ୍ତି। ଏହା ଛଡା ୨୦୨୧ ରେ ରାଉରକେଲା ପୌରପାଳିକା ର ପୂର୍ବତନ ନଗରପାଳ ନିହାର ରାୟ ନିର୍ବାଚନ ଶୀଘ୍ର କରିବାକୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏବେ ହାଇକୋର୍ଟ ତୁରନ୍ତ ମହାନଗର ନିଗମ ନିର୍ବାଚନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ବାଗତ କରା ଯାଇଛି।
ପୂର୍ବରୁ ରାଉରକେଲା ପୌର ପରିଷଦରେ ୩୩ ଟି ୱାର୍ଡ ଥିଲା। ମହାନଗର ନିଗମ ପାଇଁ ଆବଶ୍ୟକୀୟ ୱାର୍ଡ ଗଠନ ଲାଗି ଜଗଦା , ଝାଡ଼ତରଙ୍ଗ ପଞ୍ଚାୟତ ର କେତେକ ଗ୍ରାମକୁ ମହାନଗର ନିଗମ ରେ ସାମିଲ କରା ଯାଇଥିଲା। ସରକାରଙ୍କ ଏହି ପଦକ୍ଷେପ କୁ ବିରୋଧ କରି ଉକ୍ତ ଅଞ୍ଚଳର କିଛି ଲୋକ ୨୦୧୫ ରେ ହାଇକୋର୍ଟ ରେ ଏକ ମାମଲା ଦାୟର କରିଥିଲେ। ଏବେ ଏହି ସବୁ ମାମଲାରେ ଥିବା
ରହିତାଦେଶ ଉଠି ଯାଇଥିବାରୁ ସୀମା ନିର୍ଦ୍ଧାରଣ କରି ଶୀଘ୍ର ନିର୍ବାଚନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।