ରାଉରକେଲା : ଇଣ୍ଡିଆ ଏଆର୍ ୱାନ ବିମାନ ଦୁର୍ଘଟଣା ରିପୋର୍ଟ ଆସିଲା।। ତେଲ ପ୍ରେସର୍ କମ ଥିବାରୁ ଜରୁରୀ ଅବତରଣ ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା।
(ଜରୁରୀ ଅବତରଣ ଚେଷ୍ଟା ବେଳେ ବିମାନ ଦୁର୍ଘଟଣା
ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ପାଇଲଟ ଦ୍ୱୟ ପ୍ରଥମେ ଏକ ଶୁଖିଲା ନଦୀ ପଥରେ ବିମାନକୁ ଅବତରଣ କରାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଆବଶ୍ୟକ ଉଚ୍ଚତା ନଥିବାରୁ ସେଥିରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ସମ୍ଭବ ହୋଇନଥିଲା।
ପରବର୍ତ୍ତୀରେ ସେମାନେ ନିକଟସ୍ଥ ଏକ ଖୋଲା ପଡ଼ିଆକୁ ବିକଳ୍ପ ଭାବେ ଚିହ୍ନଟ କରି ଏମର୍ଜେନ୍ସୀ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଅବତରଣ ପ୍ରକ୍ରିୟା ଚାଲିଥିବା ବେଳେ ବିମାନଟି ଗଛର ଶିଖର ସହ ଧକ୍କା ଲାଗିଥିଲା।
ଘଟଣାସ୍ଥଳରେ ଗଛ ପାଖରୁ ବିଦ୍ୟୁତ୍ ତାର ଯାଇଥିବାରୁ ପାଇଲଟ ଦ୍ୱୟ ସେଗୁଡ଼ିକୁ ଏଡ଼ାଇବାକୁ ବହୁତ ସତର୍କତା ଅବଳମ୍ବନ କରିଥିଲେ। କିନ୍ତୁ ଏହି ପ୍ରୟାସ ମଧ୍ୟରେ ବିମାନର ସନ୍ତୁଳନ ହାରାଇ ଶେଷରେ ଏହା ଭୂମିକୁ ପତିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।)
ଭୁବନେଶ୍ୱର:୮/୪(ସତ୍ୟନ୍ୟୁଜା) ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାର ଜଲଦା ନିକଟରେ ଇଣ୍ଡିଆ ୱାନ ଏଆର୍ କମ୍ପାନୀ ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ ବା AAIB ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରାଉରକେଲାଠାରୁ ପ୍ରାୟ ୩୦ ନଟିକାଲ୍ ମାଇଲ୍ ଦୂରରେ ପାଇଲଟ ଦେଖିଥିଲେ ଯେ ଇଞ୍ଜିନ ତେଲ ଚାପ କମ୍ ରହିଥିଲା। ସେମାନେ ନିରୀକ୍ଷଣ କରିବା ଆରମ୍ଭ କରିଦେଇଥିଲେ। ସେମାନେ ଲକ୍ଷ୍ୟ କରିଥିଲେ ଯେ ତେଲର ଚାପ ହ୍ରାସ ପାଇବା ସହିତ ଇଞ୍ଜିନ ର ଶକ୍ତି ମଧ୍ୟ ହ୍ରାସ ପାଉଥିଲା। କମ୍ ତେଲ ଚାପ କଥା ସ୍ପଷ୍ଟ ହୋଇଯିବା ପରେ ସେମାନେ ନିକଟସ୍ଥ ଉପଯୁକ୍ତ ସ୍ଥାନରେ ଏମରର୍ଜେନ୍ସୀ ଲ୍ୟାଣ୍ଡିଂ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏ ଟି ସି)କୁ ଏକ ମେ’ ଡେ କଲ୍ ଦେଇଥିଲେ। ନିକଟସ୍ଥ ଏକ ପଡ଼ିଆରେ ବିମାନଟି କୁ ଓହ୍ଲାଇବା ନେଇ ମଧ୍ୟ ପାଇଲଟ ରାଉରକେଲା ଏଟିସି କୁ ସୂଚନା ଦେଇଥିଲେ।
ବିମାନଟି ୪ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା। ରାଉଲକେଲା ଆଉ ଅଳ୍ପ ବାଟ ଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସୁକାନ୍ତ ବିଶ୍ୱାଳ ନାମକ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟିବାର ୭ ଦିନ ପରେ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।