ରାଉରକେଲା : ଲାଠିକଟା ତହସିଲଦାର ଙ୍କୁ ଗିରଫ କଲା ଭିଜିଲାନ୍ସ।। ଗତକାଲି ୫ ଲକ୍ଷ ଟଙ୍କା ସହ ଧରା ପଡ଼ିଥିଲେ ତହସିଲଦାର।। ଘର ସର୍ଚ୍ଚ ପରେ ମିଳିଲା ଆହୁରି ୫ ଲକ୍ଷ ନଗଦ ସହ ଅଳଙ୍କାର।
ଲାଠିକଟା ତହସିଲଦାର ଗିରଫ। ଘରେ ଭିଜିଲାନ୍ସ ଚଢ଼ାଉ: ମିଳିଲା ଆଉ ୫ ଲକ୍ଷ ୭୪ ହଜାର ନଗଦ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ।
ସୁନ୍ଦରଗଡ଼/ରାଉରକେଲା, ଅଗଷ୍ଟ ୨୧: ଲାଠିକଟା ତହସିଲଦାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଗତକାଲି ୫ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ତହସିଲଦାର। ଏହି ଟଙ୍କା ସେ ଲାଞ୍ଚ ଆକାରରେ ଲୋକଙ୍କ ଠାରୁ ଆଣି ଥିବା ସ୍ୱୀକାର କରିଛନ୍ତି। ଏହାସହ ଲାଠିକଟା ତହସିଲଦାର-କମ୍-
ସବ୍ରେଜିଷ୍ଟ୍ରର ମୁରଲୀଧର ଉର୍ମାଲଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ତଦନ୍ତ ଜାରି ରହିଛି। ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଭିଜିଲାନ୍ସକୁ ଆଉ ୫ ଲକ୍ଷ ୭୪ ହଜାର ଟଙ୍କା ନଗଦ ମିଳିଛି।
ଗତକାଲି ମୁରଲୀଧର ଉର୍ମାଲଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଥିଲେ। ଘର ସର୍ଚ୍ଚ ବେଳେ ମିଳିଥିବା ନଗଦ ଜବତକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧୦ ଲକ୍ଷ ୭୪ ହଜାର ଟଙ୍କା ଜବତ ହୋଇଛି।
ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ସୁନ୍ଦରଗଡ଼ର କରମଡିହିରେ ପ୍ରାୟ ୩ ହଜାର ୭୦୦ ବର୍ଗଫୁଟ୍ର ଦୁଇ ମହଲା କୋଠା, ସୁନ୍ଦରଗଡ଼ ଓ ରାଉରକେଲା ସହର ଉପକଣ୍ଠରେ ୬ଟି ମୂଲ୍ୟବାନ ପ୍ଲଟ୍, ୫୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ୬୩୫ ଗ୍ରାମ ରୁପା ଅଳଙ୍କାର ଠାବ କରିଛନ୍ତି।
ଏହାସହ ବ୍ୟାଙ୍କ, ଡାକଘର ଓ ବୀମା ଜମା ଆକାରରେ ପ୍ରାୟ ୬୬ ଲକ୍ଷ ୧୦ ହଜାର ଟଙ୍କା ଥିବା ଜଣାପଡ଼ିଛି। ଗୋଟିଏ ହୁଣ୍ଡାଇ କାର୍ ସହ ୩ଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି।
ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଓ ଯାଞ୍ଚ ଏବେବି ଜାରି ରହିଛି। ଠାବ ହୋଇଥିବା ସମ୍ପତ୍ତି ଓ ଆର୍ଥିକ କାରବାରର ମୂଲ୍ୟାୟନ ପରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ। ଏନେଇ ଭିଜିଲାନ୍ସ ବିଭାଗର ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।