ରାଜଗାଙ୍ଗପୁର : ୧୭/୨
(ସତ୍ୟାନ୍ୟୁଜ)
ଇଣ୍ଟର-ଷ୍ଟେଟ୍ ସାଇବର ଠକେଇ ମାମଲାରେ କୋଟି କୋଟି ଟଙ୍କା ଲେନଦେନ ଘଟଣାର ପର୍ଦ୍ଦାଫାଶ କରିବାରେ ରାଜଗାଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା। ତଦନ୍ତ ପରେ ୪ଟି “ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ” ଚିହ୍ନଟ କରାଯାଇଛି। ଏହି ଆକାଉଣ୍ଟଗୁଡ଼ିକ ସାଇବର ଠକେଇରେ ଆସୁଥିବା ଟଙ୍କା ଗ୍ରହଣ ଓ ତୁରନ୍ତ ଅନ୍ୟ ଆକାଉଣ୍ଟକୁ ପ୍ରେରଣ ପାଇଁ ବ୍ୟବହାର କରା ଯାଉଥିଲା। ଫେକ୍ ଇନଭେଷ୍ଟମେଣ୍ଟ ଅଫର୍, ଓଟିପି ଠକେଇ ଭଳି ବିଭିନ୍ନ ଉପାୟରେ ଟଙ୍କା ଠକାଯାଇଥିବା ସନ୍ଦେହ ରହିଛି। ଏହି ଘଟଣାରେ ଏକ ମାମଲା ରାଜଗାଙ୍ଗପୁର ଥାନାରେ ଦାୟର କରା ଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଅପରାଧରେ ଜଡ଼ିତ ଅନ୍ୟମାନଙ୍କୁ ଧରିବାକୁ ପୋଲିସ୍ ଉଦ୍ୟମ ଜାରି ରଖିଛି। ସମୁଦାୟ ୪ କୋଟି ୧୮ ଲକ୍ଷ ଟଙ୍କାର ବେଆଇନ୍ ଅର୍ଥ କାରବାର ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ୭୪ ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟ୍ କୁ ଅଚଳ କରି ଦିଆ ଯାଇଛି। ବେଆଇନ୍ ଅର୍ଥ କାରବାର ଏବଂ ଅନ୍ ଲାଇନ୍ ଠକାମୀ ର ତଦନ୍ତ ଜାରି ରହିଛି।
ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଅଜଣା ଫୋନ୍, ଲିଙ୍କ୍ କିମ୍ବା ଲୋଭନୀୟ ନିବେଶ ପ୍ରସ୍ତାବରେ ନପଡ଼ିବାକୁ ପରାମର୍ଶ ଦିଆ ଯାଇଛି। ଅନ୍ୟ କାହାକୁ ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ ଶେୟର୍ ନକରିବାକୁ ନିବେଦନ କରା ଯାଇଛି।
ସାଇବର ଅପରାଧ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରା ଯାଇଛି।