UHMCH କ୍ୟାମ୍ପସରେ ସୁରକ୍ଷା ଚିନ୍ତା: ୩ ମାସରେ ଉଦ୍ଧାର ୪୦ରୁ ଅଧିକ ସାପ
ରାଉରକେଲା, ସେକ୍ଟର-୨୧: ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ୍ (UHMCH) ପରିସରରେ ସାପ ଆତଙ୍କକୁ ନେଇ ଛାତ୍ରଛାତ୍ରୀ, ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ଚିନ୍ତା ବଢ଼ିଛି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ପ୍ରାୟ ୩ ମାସ ମଧ୍ୟରେ କ୍ୟାମ୍ପସ ପରିସରରୁ ୪୦ରୁ ଅଧିକ ସାପ ଉଦ୍ଧାର କରାଯାଇଛି। ନିକଟରେ OPD ଦ୍ୱାର ନିକଟରୁ ଏକ ଅଜଗର ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
କ୍ୟାମ୍ପସରେ ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଭାବେ ପଡ଼ିଥିବା ଖାଲି ଜମି, ଘାସବୁଦା ଓ ଅପରିଷ୍କାର ପରିବେଶ ସାପଙ୍କ ଆଶ୍ରୟସ୍ଥଳୀ ପାଲଟୁଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ ସଫେଇ ପଦକ୍ଷେପ ନିଆଯାଇନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।
ସେହିପରି Academic Block, Hostel ଓ OPD ମଧ୍ୟରେ ଥିବା କିଛି ଗ୍ରିଲ୍ ଦ୍ୱାର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ନଥିବା ଅଭିଯୋଗ ରହିଛି। ଫଳରେ ସାପ କିମ୍ବା ଅନ୍ୟ ବନ୍ୟଜନ୍ତୁ କ୍ୟାମ୍ପସର ଭିତରକୁ ପ୍ରବେଶ କରିବାର ଆଶଙ୍କା ରହିଛି।
ଛାତ୍ରଛାତ୍ରୀଙ୍କ ଦାବି, ଏହା କେବଳ ପରିମଳ କିମ୍ବା ସଫେଇର ପ୍ରସଙ୍ଗ ନୁହେଁ; ଏହା ଛାତ୍ରଛାତ୍ରୀ, ରୋଗୀ ଓ କର୍ମଚାରୀଙ୍କ ଜୀବନ ସୁରକ୍ଷା ସହ ଜଡ଼ିତ ଗୁରୁତର ବିଷୟ।
ତେଣୁ ରାଜ୍ୟ ସରକାର, AYUSH ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କ୍ୟାମ୍ପସର ଖାଲି ଜମି ସଫେଇ, ଘାସବୁଦା ସଫା, ଭଙ୍ଗା ଗ୍ରିଲ୍ ଓ ଦ୍ୱାର ମରାମତି ସହ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ — ଏହା ହିଁ ଛାତ୍ରଛାତ୍ରୀଙ୍କ ଦାବି।