ତୋଫାନ ବିନ୍ଧାଣୀ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ୨ ଆହତ, ୩ ଗିରଫ।
ରାଉରକେଲା, ୨୦/୬ (ସତ୍ୟନ୍ୟୁଜ ଆଲର୍ଟ): ତୋଫାନ ବିନ୍ଧାଣୀ ହତ୍ୟା ମାମଲାର ତଦନ୍ତରେ ବଡ଼ ସଫଳତା ପାଇଛି ରାଉରକେଲା ପୋଲିସ। ଶନିବାର ଭୋର ସମୟରେ ଝିରପାଣି ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଆହତ ହୋଇଥିବାବେଳେ ଆଉ ତିନିଜଣଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୬ ଜୁନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେକ୍ଟର-୦୬ ଅଞ୍ଚଳରେ ରାମେଶ୍ୱର ପଲ୍ଲୀର ତୋଫାନ ବିନ୍ଧାଣୀଙ୍କ ଉପରେ ଏକ ଦଳ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ତୋଫାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।
ଘଟଣାର ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଝିରପାଣି ଅଞ୍ଚଳରେ ଗତିବିଧି ସମ୍ପର୍କରେ ପୋଲିସ ନିର୍ଭରଯୋଗ୍ୟ ସୂଚନା ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଭୋର ସମୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ଅପରେସନ ବେଳେ ଅଭିଯୁକ୍ତମାନେ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଦୁଇ ଅଭିଯୁକ୍ତ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ (RGH)ରେ ଭର୍ତ୍ତି କରାଯାଇଛି।
ଆହତ ଅଭିଯୁକ୍ତମାନେ ହେଲେ ସେକ୍ଟର-୦୫ ଗୋଲଘର ନାରାୟଣ ପଲ୍ଲୀର ସୁଶାନ୍ତ ନାୟକ ଓରଫ ଲଣ୍ଡା ବାବୁ (୩୦) ଏବଂ ସେକ୍ଟର-୦୬ ନାରାୟଣ ପଲ୍ଲୀର ଚିନୁ ହରିପ୍ପା (୨୩)।
ସେହିପରି ପୋଲିସ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୦୫ କବିସମ୍ରାଟ ପଲ୍ଲୀର ରୋହିତ ମୁଖୀ (୩୨), ଗଞ୍ଜାମପଲ୍ଲୀ (ତେଲୁଗୁ ବସ୍ତି)ର ରୋହିତ ହରିପ୍ପା (୨୩) ଏବଂ ଝିରପାଣିର ଜନସନ ନାଗ (୨୬), ଯିଏ ବର୍ତ୍ତମାନ ଭିଏସଏସ୍ ପଲ୍ଲୀରେ ରହୁଛନ୍ତି।
ପୋଲିସ କହିଛି ଯେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଅବ୍ୟାହତ ରହିଛି। ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ନଜର ରଖିଥିବାବେଳେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।