ବଣାଇ : ୨୦/୧୦(ସତ୍ୟାନ୍ୟୁଜ) ବଣାଇ ରାଜା ଧରଣୀଧର କ୍ଲବ ପରିସରରେ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଏକ ଭବ୍ୟ କଳାକାର ସମାବେଶ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସ୍ଵତନ୍ତ୍ର ଅତିଥି ଭାବେ ବଣାଇ ର ରାଜା ସାହେବ ବୀର କେଶରୀ ଇନ୍ଦ୍ରଦେଓ ଦେବ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ, ପରିଷଦର ପ୍ରତିଷ୍ଠାତା ତଥା ବରିଷ୍ଠ କଳାକାର ଖଗେଶ୍ୱର ବାରିକ, ଉପସଭାପତି ରଜନୀକାନ୍ତ ଦଣ୍ଡିଆ, ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ଉପସଭାପତି ବିପ୍ରଚରଣ ଜୟପୁରିଆ ପ୍ରମୁଖ ଯୋଗ ଦେଇ ଥିଲେ। ଲହୁଣୀପଡ଼ା ବ୍ଲକ କଳାକାର ସଂଘର ଉପ ସଭାପତି ପ୍ରଫୁଲ୍ଲ ପଲେଇ ଯୋଗ ଦେଇ ସମାବେଶକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସାଂସ୍କୃତିକ ଦଳମାନେ ନୃତ୍ୟ, ଗୀତ ଓ ବାଦ୍ୟରେ ରଙ୍ଗ ଭରି ମେଡିକାଲ ଛକରୁ ଅତିଥିମାନଙ୍କୁ ଅନୁଷ୍ଠାନ ସ୍ଥଳକୁ ନେଇ ଆସି ଥିଲେ। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପରିଧାନ କରାଇ ସମ୍ବର୍ଦ୍ଧିତ କରାଯାଇଥିଲା ସମାବେଶରେ ବଣାଇ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଚାରିଟି ବ୍ଲକରୁ ଶତାଧିକ କଳାକାର ଯୋଗ ଦେଇ ନିଜ କଳା ପ୍ରତିଭା ଦେଖାଇଥିଲେ।
ସମାଜସେବୀ ଉଗ୍ରସେନ କିସାନ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ତ ମହାକୁଳ, ପ୍ରତାପ ସାହୁ, ଚିନ୍ମୟ ତ୍ରିପାଠୀ, ଭୁବନାନନ୍ଦ କିସାନ, ଭ୍ରମର ବାରିକ, ସୁଶାନ୍ତ ବ୍ରହ୍ମ, ରାଜକୁମାରୀ ପ୍ରଧାନ, ହୃଦାନନ୍ଦ ବେହେରା, ଶୁକଦେବ ପଲେଇ, ଶ୍ରୀଧର ନାୟକ, ଟୋପି ଚନ୍ଦନ ସାହୁ, ଆଦି ଉପସ୍ଥିତ ରହି ଅନୁଷ୍ଠାନର ସଫଳତାରେ ସହଯୋଗ କରିଥିଲେ।