ରାଉରକେଲା:୧୭/୫(ସତ୍ୟାନ୍ୟୁଜ) ଏବେ ପ୍ରାୟ ପ୍ରତିଦିନ ସନ୍ଧ୍ୟାରେ କିମ୍ବା ରାତିରେ କାଳବୈଶାଖୀ ଝଡ ହେଉଛି। ଫଳରେ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟି ସାଧାରଣ ଜୀବନ ଯାତ୍ରାରେ ଅସୁବିଧା ସୃଷ୍ଟି ହୋଇଛି। ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ପଡିଛି। କେତେକ ସ୍ଥାନରେ କାର ଉପରେ ଗଛ ପଡ଼ି ଯାଇଛି। ୧୩ ନମ୍ୱର୍ ସେକ୍ଟର ପଡ଼ିଆ ରେ ଲାଗିଥିବା ମେଳାରେ ଝଡ ତୋଫାନ ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ସେଠାରେ ଲାଗିଥିବା ଦୋଳି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେପଟେ ବଣାଇରେ ବ୍ରାହ୍ମଣୀ ନଦୀରେ ଗ୍ରୀଡ୍ ଟାୱାର ତାର ଛିଣ୍ଡି ପଡ଼ି ଥିବାରୁ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ୨୪ ଘଣ୍ଟା ପରେ ମଧ୍ୟ ବଣାଇ ସହର ରେ ବିଦ୍ୟୁତ୍ ସେବା ଠିକ୍ ହୋଇ ପାରି ନାହିଁ। ତୁମକେଲା ରୁ ବଣାଇ ଆସିଥିବା ମୁଖ୍ୟ ଗ୍ରୀଡ୍ ଟାୱାର ତାର ଝଡ଼ ତୋଫାନ ଯୋଗୁଁ ଛିଡି ପଡ଼ିଥିବାରୁ ଏହି ଅସୁବିଧା ସୃଷ୍ଟି ହୋଇଛି।