ରାଉରକେଲା : ବିଶିଷ୍ଟ ଆଦିବାସୀ ନେତା ତଥା ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ।। ଆସନ୍ତାକାଲି ଅନ୍ତିମ ସଂସ୍କାର।
ବିରମିତ୍ରପୁର ପୂର୍ବତନ ବିଧାୟକ ଓ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ
ରାଉରକେଲା:୨୦/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଥା ଓଡିଶାର ଟାଣୁଆ ଆଦିବାସୀ ନେତା , ଵିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ ହୋଇ ଯାଇଛି। ତାଙ୍କର ଅକାଳ ବିୟୋଗ ଆଦିବାସୀ ସମାଜ ଏବଂ ରାଜନୈତିକ ମଞ୍ଚ ପାଇଁ ଏକ ବଡ଼ କ୍ଷତି ଭାବେ ବିବେଚନା କରା ଯାଉଛି। ଜର୍ଜ ତିର୍କୀ ଗତକାଲି ରାତିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେହି ସମୟରେ ତାଙ୍କ ପୁଅ, ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କର ଅସାମୟିକ ପରଲୋକରେ ରାଉରକେଲା ସହିତ ସମଗ୍ର ସୁନ୍ଦରଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଜର୍ଜଙ୍କ ମରଶରୀରକୁ ବିଧାନସଭା ପରିସର ନିଆଯାଇ ଶେଷ ଶ୍ରଦ୍ଧାଞ୍ଜଳି ଦିଆ ଯିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ରୁ ବାହାରି ଆଜି ସନ୍ଧ୍ୟାରେ ରାଉରକେଲା ୮ ନମ୍ୱର୍ ସେକ୍ଟର ସ୍ଥିତ ଶ୍ରମିକ ସଂଗଠନ କାର୍ଯ୍ୟାଳୟରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆ ଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ରବିବାର ଦିନ ଜର୍ଜ ଙ୍କ ଅନ୍ତିମ ସଂସ୍କାର ତାଙ୍କ ଗାଁ ଝୁରମୂର୍ ରେ କରାଯିବା ନେଇ ସୂଚନା ମିଳିଛି।
ଜର୍ଜ ତିର୍କୀ ଆଦିବାସୀଙ୍କ ଅଧିକାର ପାଇଁ ସବୁ ବେଳେ ସ୍ୱର ଉତ୍ତୋଳନ କରୁଥିଲେ। ଜଳ, ଜଙ୍ଗଲ ଓ ଜମି ଅଧିକାର ପାଇଁ ସେ ଦୃଢ଼ ଭାବେ ଲଢେଇ କରି ଆସୁଥିଲେ। ଶେଷ ପର୍ଯ୍ୟନ୍ତ ସେ ଆଦିବାସୀ ସମୁଦାୟର ଅଧିକାର ଓ କଲ୍ୟାଣ ପାଇଁ ସଂଗ୍ରାମ କରୁଥିଲେ। ଏହା ଛଡା ସେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଗାଙ୍ଗପୁର ମଜଦୂର ୟୁନିୟନ୍ ପ୍ରତିଷ୍ଠା କରିଥିଲେ। ରାଉରକେଲା ଇସ୍ପାତ କାରଖାନା ସ୍ଵୀକୃତି ନିର୍ବାଚନରେ ମଧ୍ୟ ତାଙ୍କ ସଂଗଠନ ରାଉରକେଲା ଶ୍ରମିକ ସଂଘ ସହ ମିଶି ବିଜୟ ଲାଭ କରିଥିଲା।
ବିସ୍ଥାପନ, ବନ ଅଧିକାର ଓ ଆଦିବାସୀ ପରିଚୟର ସୁରକ୍ଷା ସହିତ ସମ୍ପୃକ୍ତ ବିଭିନ୍ନ ସମସ୍ୟାରେ ତାଙ୍କ ଦୃଢ଼ ପଦକ୍ଷେପ ପାଇଁ ସେ ଲୋକଙ୍କ ବିଶ୍ୱାସ ଓ ସ୍ନେହ ଜିତିଥିଲେ। ତାଙ୍କର ପରଲୋକରେ ସୁନ୍ଦରଗଡ଼ର ଗ୍ରାମୀଣ ନେତୃତ୍ୱ ପାଇଁ ଏକ ଯୁଗର ଶେଷ ହୋଇଛି।
ତାଙ୍କ ପରଲୋକରେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ , ସାମାଜିକ କର୍ମୀ ଏବଂ ସାଧାରଣ ନାଗରିକ ମାନଙ୍କ ତରଫରୁ ଶୋକ ବ୍ୟକ୍ତ କରା ଯାଇଛି।