ବିରମିତ୍ରପୁର : ଲୋକଙ୍କ ଦୁଃଖ ସାଜିଛି ୧୪୩ ନମ୍ୱର୍ ଜାତୀୟ ରାଜପଥ।। ପ୍ରବଳ ଧୂଳି ଉଡୁ ଥିବାରୁ ସାଧାରଣଙ୍କ ଜୀବନ ଦୁର୍ବିସହ।
ବିରମିତ୍ରପୁର:୩୦/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବାସୀଙ୍କ ପାଇଁ ଏବେ ଦୁଃଖ ପାଲଟିଛି ଟାଉନ୍ ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ। ରକ୍ଷଣାବେକ୍ଷଣ ଅଭାବରୁ ଏହି ରାଜପଥ ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ସହର ମଧ୍ୟ ଦେଇ ଯାଇଥିବା ରାଜପଥ ର ଦୁଇ ପାର୍ଶ୍ଵରେ ଡ୍ରେନ କରିଦେବା ଫଳରେ ରାସ୍ତାର ଚଉଡା କମ୍ ହୋଇ ଯାଇଛି। ଏହା କୌଣସି ମତେ ଜାତୀୟ ରାଜପଥ ପରି ଲାଗୁ ନାହିଁ। ଏହା ସାଙ୍ଗକୁ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇ ଗାଢ ସୃଷ୍ଠି ହୋଇ ଥିବାରୁ ବର୍ଷା ଦିନେ ପାଣି ବୁଡି ରହୁଛି। ପାଣି ଛାଡି ଗଲେ ପ୍ରବଳ ଧୂଳି ଜମି ରହୁଛି। ଏହି ରାସ୍ତାରେ ଟ୍ରକ୍ ଏବଂ ବିଭିନ୍ନ ଭାରି ଯାନ ଚଳାଚଳ କରୁଥିବାରୁ ଗାଢ଼ ମଧ୍ୟରେ ଥିବା ଧୂଳି ଉଡ଼ି ସହରକୁ ଆଚ୍ଛାଦିତ କରି ଦେଉଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରବଳ ଧୂଳି ଉଡୁ ଥିବାରୁ ବ୍ୟବସାୟୀ ମାନେ ଦୋକାନରେ ବସିବା ଏକ ପ୍ରକାର ଦୁର୍ବିସହ ହୋଇ ପଡିଛି। ଧୂଳି ଯୋଗୁ ବିଭିନ୍ନ ଫୁସ୍ ଫୁସ୍ ଜନିତ ରୋଗ ମଧ୍ୟ ବ୍ୟାପୁଛି। ଶୀଘ୍ର ଜାତୀୟ ରାଜପଥ କୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।