ରାଉରକେଲା : ଅଗଷ୍ଟ ୨୯ ରେ ଅନୁଷ୍ଠିତ ହେବ ପଥ ଉତ୍ସବ।। ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଜୁମ୍ବା ଡାନ୍ସ ପ୍ରଦର୍ଶନ ହେବ।

0 353

ଅଗଷ୍ଟ ୨୯ ରେ ରାଉରକେଲାରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’
ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିବେ ରାଉରକେଲାବାସୀ
ସ୍ଥାନୀୟ କଳାକାରଙ୍କ ପାଇଁ ପ୍ଲାଟଫର୍ମ ପାଲଟିବ ‘ପଥ ଉତ୍ସବ’

ରାଉରକେଲା:୨୫/୮(ସତ୍ୟାନ୍ୟୁଜ୍) ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲା ସହରରେ ଆୟୋଜନ ହେବାକୁ ଯାଉଛି ପଥ ଉତ୍ସବ। ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ରାଉରକେଲା ମହାନଗର ନିଗମ ତରଫରୁ ପଥ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ଅଗଷ୍ଟ ୨୯ ତାରିଖରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ।

ଅଗଷ୍ଟ ୨୯ ତାରିଖ ସକାଳ ୬ଟା ରୁ ଅନୁଷ୍ଠିତ ହେବାକୁ ଥିବା ଏହି ପଥ ଉତ୍ସବରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କ ଲାଗି ବିଭିନ୍ନ ପ୍ରକାରର କ୍ରିୟାକଳାପ ଅନୁଷ୍ଠିତ ହେବ। ଏହି କ୍ରମରେ ଯୋଗ, ଜୁମ୍ବା, ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ସହ ରଙ୍ଗୋଲି, ବାଲୁକା କଳା, ଡଗ୍ ସୋ ଆଦି କାର୍ଯ୍ୟକ୍ରମ ରହିଛି।

ଏଥିସହ ସ୍ଥାନୀୟ ରାସ୍ତା ପାର୍ଶ୍ଵ ବ୍ୟବସାୟୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ସାଞ୍ଝା ଉତ୍ସବ ତଥା ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯିବ। ଯେଉଁଠାରେ ଜନସାଧାରଣ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନର ସ୍ଵାଦ ଚାଖି ପାରିବେ।

ସଙ୍ଗୀତର ଯାଦୁରେ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଟି. ସୌରୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ, ଲିପ୍ସା ମହାପାତ୍ର, ବର୍ଣ୍ଣାଳୀ ହୋତାଙ୍କ ସହ ସୁପରିଚିତ ଉପସ୍ଥାପକ ଓ ଅଭିନେତା କେପି, ଉପସ୍ଥାପିକା ଓ ଅଭିନେତ୍ରୀ ଗୁଡ଼ି ଓ ଅଙ୍କିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦର୍ଶକଙ୍କ ମନୋରଞ୍ଜନ କରିବେ।

ସ୍ଥାନୀୟ କଳାକାରଙ୍କ ପାଇଁ ଏହି ପଥ ଉତ୍ସବ ଏକ ପ୍ଲାଟଫର୍ମ ସଦୃଶ ହୋଇଥିବା ବେଳେ ବହୁ ସଂଖ୍ୟାରେ ସ୍ଥାନୀୟ କଳାକାର ଏହି ପଥ ଉତ୍ସବରେ ଅଂଶଗ୍ରହଣ କରି ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଅନୁରୋଧ କରାଯାଇଛି। ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଥ ଉତ୍ସବରେ ଅଧିକରୁ ଅଧିକ ସଂଖ୍ୟକ ରାଉରକେଲାବାସୀ ଅଂଶ ଗ୍ରହଣ କରି ଏହାକୁ ସଫଳ କରିବା ପାଇଁ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.