ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣିଂ।। ରାଉରକେଲା ସମେତ ସମଗ୍ର ଜିଲ୍ଲାରେ ୩ ଦିନ ହେଲା ଲାଗି ରହିଛି ବର୍ଷା।। ବହୁ ଅଞ୍ଚଳ ଜଳମଗ୍ନ।
ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ଲଘୁଚାପ ପ୍ରଭାବରେ ସାରା ଓଡ଼ିଶା ରେ ବର୍ଷା ଲାଗି ରହିଥିବା ବେଳେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୩ ଦିନ ହେଲା ବର୍ଷା ଲାଗି ରହିଛି। ଏହି ବର୍ଷା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଆଜି ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରା ଯାଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଇବ୍ ନଦୀର ଜଳସ୍ତର ବୃଦ୍ଧି ପାଇଛି।
କେତେକ ସ୍ଥାନରେ ବର୍ଷା ଜଳ ପୋଲ ଉପରେ ଚାଲୁଥିବା ବେଳେ ଅନେକ ରାସ୍ତାରେ ପାଣି ପ୍ରବାହିତ ହୋଇ ଯାତାୟାତ ବିଚ୍ଛିନ୍ନ ହୋଇଛି। ବିଶେଷତଃ ଲେଫ୍ରିପଡ଼ା, ହେମଗିରି ଓ ଟାଙ୍ଗରପାଲି ବ୍ଲକରେ ଅଧିକ ବର୍ଷା ହୋଇଛି। ବରପାଲି ପୋଲ ଉପରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ବୋହିଥିବାରୁ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବିଲେଇମୁଣ୍ଡା ଅଞ୍ଚଳରେ ବର୍ଷାଜଳ ଘରେ ପଶିବାରୁ ଲୋକମାନଙ୍କର ଆସବାବପତ୍ର ପାଣିରେ ଭାସୁଛି।
ପ୍ରବଳ ବର୍ଷାର ପ୍ରଭାବରେ ଇବ ନଦୀ ସହିତ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଗ୍ରାମାଞ୍ଚଳରେ ବନ୍ୟାସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି।