ରାଉରକେଲା : ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ଙ୍କ ବିଭିନ୍ନ ଅଞ୍ଚଳକୁ ମାରାଥନ୍ ଗସ୍ତ।। ଆହାର କେନ୍ଦ୍ର ସହ ନିର୍ମାଣଧିନ ସାଇନ୍ସ ପାର୍କ ସ୍ଥଳ ପରିଦର୍ଶନ।
ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ଶୁକ୍ରବାର ଦିନ କୋଏଲ ନଗର ସ୍ଥିତ ଆହାର କେନ୍ଦ୍ର ପାକଶାଳା ଓ ସେକ୍ଟର ୧୯ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରି ସେଠାରେ ପରିଚାଳନା ଦାୟିତ୍ଵରେ ଥିବା ଏସଏଚଜି ମହିଳାଙ୍କୁ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି କେନ୍ଦ୍ର ମାଧ୍ୟମରେ ତାଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଥିବା ଜାଣି ଖୁସି ହୋଇଥିଲେ। ଏଥିସହ ଆହାର କେନ୍ଦ୍ରରେ ହିତାଧିକାରୀଙ୍କ ଠାରୁ ଖାଦ୍ୟର ମାନ ବିଷୟରେ ପଚାରି ବୁଝିଥିଲେ। ଆହାର କେନ୍ଦ୍ର କୁ ଆସୁଥିବା ଖାଦ୍ୟ ସାମଗ୍ରୀ ମାନ ମଧ୍ୟ ପରଖି ଥିଲେ କମିଶନର।
ପରେ ଶ୍ରୀମତୀ ଦସ୍ତଗୀର ବିରଜାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ପାଠପଢ଼ା ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ।
ଏଥିସହ ବିଦ୍ୟାଳୟ ପରିସରରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିରଜାପାଲି ପରେ କମିଶନର ଛେଣ୍ଡ କଲୋନୀ ସ୍ଥିତ ସାଇନ୍ସ ପାର୍କ ଏବଂ ନିର୍ମାଣଧିନ ପ୍ଲାନେଟରିଆମ୍ ସ୍ଥଳ ପରିଦର୍ଶନ କରିଥିଲେ। ପରେ ବାସନ୍ତୀ କଲୋନୀ ମାର୍କେଟ ଏବଂ ଗଣେଶ ମାର୍କେଟ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ସାରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।