ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା।। ବ୍ରିଜ୍ ଉପରେ ପାଣି , ଘରେ ପାଣି , ମାଇନ୍ସ ଏରିଆରେ ପାଣି।। ସବୁଆଡେ ପାଣି ହିଁ ପାଣି।
ସୁନ୍ଦରଗଡ଼ରେ ଅବିରତ ପ୍ରବଳ ବର୍ଷା। ବନ୍ୟା ପରିସ୍ଥିତି
ସୁନ୍ଦରଗଡ଼:୨୩/୮ (ସତ୍ୟାନ୍ୟୁଜ୍) ଦୁଇ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଛି। କେତେକ ସ୍ଥାନରେ ବର୍ଷା ଜଳ ପୋଲ ଉପରେ ବୋହିଥିବା ବେଳେ ଅନେକ ରାସ୍ତାରେ ପାଣି ପ୍ରବାହିତ ହୋଇ ଯାତାୟାତ ବିଚ୍ଛିନ୍ନ ହୋଇଛି।
ପାଣିପାଗ ବିଭାଗ ଗତକାଲି ଜିଲ୍ଲା ପାଇଁ ରେଡ୍ ୱାର୍ଣିଙ୍ଗ ଜାରି କରିଥିଲା। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ୫୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବିଶେଷତଃ ଲେଫ୍ରିପଡ଼ା, ହେମଗିରି ଓ ଟାଙ୍ଗରପାଲି ବ୍ଲକରେ ଅଧିକ ବର୍ଷା ହୋଇଛି।
ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲି ରାସ୍ତା, ହେମଗିରି ବ୍ଲକର ମନୋହରପୁର-ସରବାହାଲ ରାସ୍ତା ବର୍ଷାଜଳରେ ଧୋଇଯିବାରୁ ଯୋଗାଯୋଗ ବନ୍ଦ ହୋଇପଡ଼ିଛି। ବରପାଲି ପୋଲ ଉପରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ବୋହିଥିବାରୁ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଏମସିଏଲ ବସୁନ୍ଧରା ମାର୍କେଟ କମ୍ପ୍ଲେକ୍ସରେ ବର୍ଷାଜଳ ପଶି ଦୋକାନଗୁଡ଼ିକ ଭାସିଯାଇଛି। ଓସିପିଏଲ କୋଇଲାଖଣି ନିକଟର ଖୁଣ୍ଟିଝରିଆ ଗାଁ ପାଣି ଘେରାରେ ରହିଛି। କୋଇଲାଖଣିର ହିଡ୍ କାଟି ପାଣି ବାହାର କରାଗଲେ ମଧ୍ୟ ପାଣିସ୍ତର କମିନାହିଁ।
ବିଲେଇମୁଣ୍ଡା ଅଞ୍ଚଳରେ ବର୍ଷାଜଳ ଘରେ ପଶିବାରୁ ଲୋକମାନଙ୍କର ଆସବାବପତ୍ର ପାଣିରେ ଭାସୁଛି। ବାଙ୍କିବାହାଲ-ବସୁନ୍ଧରା ରାସ୍ତାରେ ବର୍ଷାଜଳ ଭରିଯାଇଥିବାରୁ ରାସ୍ତାକୂଳେ ଥିବା କାର ଓ ବାଇକ୍ଗୁଡ଼ିକ ପାଣିରେ ବୁଡ଼ିଗଲା।
ପ୍ରବଳ ବର୍ଷାର ପ୍ରଭାବରେ ଇବ ନଦୀ ସହିତ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଗ୍ରାମାଞ୍ଚଳରେ ବନ୍ୟାସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି।