ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ
ସୁନ୍ଦରଗଡ଼:୧୫/୦୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ମହକୁମାଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡ଼. ମୁକେଶ ମହାଲିଙ୍ଗ, ମନ୍ତ୍ରୀ , ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡ଼ିଶା , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।
ଏହି ପବିତ୍ର ଦିବସ ଉପଲକ୍ଷେ ମନ୍ତ୍ରୀ ଡ଼. ମହାଲିଙ୍ଗ ଜିଲ୍ଲାବାସୀ ଙ୍କୁ ମୁକ୍ତି, ଅହିଂସା, ଶାନ୍ତି ଓ ସଦିଚ୍ଛା ର ମହାନ୍ ପର୍ବ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଦେଶ ର ମୁକ୍ତି ପାଇଁ ପ୍ରାଣ ବଳି ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜାତୀୟବାଦୀ ନେତୃବୃନ୍ଦ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ବିଶ୍ଵ ଇତିହାସରେ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ଅନନ୍ୟ ଅଧ୍ୟାୟ। ଭାରତବର୍ଷରୁ ସାମ୍ରାଜ୍ୟବାଦୀ ବ୍ରିଟିଶ ଶାସନର ଅନ୍ତ ଘଟାଇବା ପାଇଁ ସଂଗଠିତ ଆନ୍ଦୋଳନ ର ମୂଳଭିତ୍ତି ଥିଲା ଅହିଂସା, ସତ୍ୟାଗ୍ରହ, ଓ ଅସହଯୋଗ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଅଗଣିତ ଭାରତୀୟ ଜାତି, ବର୍ଣ୍ଣ , ଧର୍ମ ନିର୍ବିଶେଷରେ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶର ମୁକ୍ତି ପାଇଁ ପ୍ରାଣ ବଳି ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ନେତୃବୃନ୍ଦ ଯଥା ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଅବୁଲ କଲାମ ଆଜାଦଙ୍କ ସମେତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଭଗତ ସିଂ, ଚଦ୍ର ଶେଖର ଆଜାଦ ପ୍ରମୁଖ ଙ୍କ କୀର୍ତ୍ତି ଆଜି ଇତିହାସରେ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ରହିଛି। ସେହିଭଳି ଭାବେ ସ୍ଵାଧୀନତା ସଂଗ୍ରାମରେ ସୁନ୍ଦରଗଡ଼ ମାଟିର ଅବଦାନ ଅତୁଳନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମରେ ଅଗଣିତ ବୀର ସନ୍ତାନ ମାନେ ନିଜ ଜୀବନକୁ ବାଜି ଲଗେଇ ଆଗେଇ ଆସିଥିଲେ। ନିର୍ମଳ ମୁଣ୍ଡା, ଜଗନ୍ ତନ୍ତୀ, ବଳଭଦ୍ର ତନ୍ତୀ, ଦ୍ବାରିକା ନାଥ କୁସୁମ, ଓକିଲ ଧନଞ୍ଜୟ ମହାନ୍ତି, ଚିରଞ୍ଜିଲାଲ ଶର୍ମା, ଅରାମ ପ୍ରସାଦ ବର୍ମା, ଗଙ୍ଗା ସିଂ, ଫତେ ଚାନ୍ଦ ଭଳି ଅନେକ ପ୍ରମୁଖ ବୀର ସନ୍ତାନ ମାନେ ଇଂରେଜ ବିରୋଧୀ ଆନ୍ଦୋଳନ କୁ ଆହୁରି ବ୍ୟାପକ କରିଥିଲେ । ସେହିଭଳି ମାନ୍ୟବର ମନ୍ତ୍ରୀ ଡ଼. ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିଚାଳିତ ସରକାର ରାଜ୍ୟକୁ ବିକଶିତ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛି। ସେ ସ୍ବାସ୍ଥ୍ୟ କ୍ଷେତ୍ର ହେଉ କି କୃଷି, ଶିକ୍ଷା କ୍ଷେତ୍ର, ଶିଳ୍ପ କ୍ଷେତ୍ର, ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ,ଜନଜାତିଙ୍କ ବିକାଶ,ଗ୍ରାମ ଓ ସହର ଗୁଡ଼ିକ ବିକାଶ, ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା, କଳା, ସଂସ୍କୃତି, ଐତିହ୍ୟର ବିକାଶ ଏବଂ ସଂରକ୍ଷଣ ଭଳି ପ୍ରତ୍ୟେକ କ୍ଷେତ୍ରରେ ସାମଗ୍ରିକ ବିକାଶ ଦିଗରେ ଓଡ଼ିଶା ଆଗଭର ହେଉଅଛି। ଓଡ଼ିଶା ର ସାମଗ୍ରିକ ଉନ୍ନତି ଦାୟିତ୍ଵ ଆମ ସମସ୍ତଙ୍କର। ଓଡ଼ିଶା କୁ ଦେଶ ର ଅଗ୍ରଣୀ ରାଜ୍ୟ ଭାବେ ଗଢିତୋଳିବା ପାଇଁ ଏହି ପବିତ୍ର ଦିବସରେ ଆମେ ସଂକଳ୍ପ ନେବା।
ଏହି ପବିତ୍ର ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଂକ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ସମ୍ମିଳିତ ପ୍ୟାରେଡ ରେ ଶ୍ରେଷ୍ଠ ବିବେଚିତ ଦଳ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ସେହିଭଳି ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଏବଂ ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ପରେ ସାର୍ଥକ ସ୍କୁଲ, ଆସ୍ଥା ଗୃହ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା କାରାଗାର ର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ପରେ ପରେ ଜିଲ୍ଲା କ୍ରୀଡ଼ା ସଂସଦ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ଓକିଲ ସଂଘ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସେହିଭଳି ସନ୍ଧ୍ୟାରେ ସଂସ୍କୃତି ଭବନ ଠାରେ ଦେଶତ୍ମୋବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସୁନ୍ଦରଗଡ଼ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଆଇ ଏ ଏସ ଶିକ୍ଷାନବିଷ ସୁଶ୍ରୀ ଫାବୀ ରସିଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସକାଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସେହିଭଳି ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।