ରାଉରକେଲା : ” ଘରେ ଘରେ ତ୍ରିରଙ୍ଗା , ଘରେ ଘରେ ସ୍ବଚ୍ଛତା” ଅଭିଯାନରେ ତ୍ରିରଙ୍ଗା ରାଉରକେଲା ମହାନଗର ନିଗମର ଶୋଭାଯାତ୍ରା।
‘ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା’ ଅଭିଯାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ରାଉରକେଲା:୧୪/୮(ସତ୍ୟା ନ୍ୟୁଜ) ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ‘ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା’ ଅଭିଯାନରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆମ୍ବେଦକର ଛକରୁ ବାହାରିଥିବା ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆରଏମସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା।
କେନ୍ଦ୍ର ସରକାରଙ୍କ ଆହ୍ଵାନ କ୍ରମେ ଅଗଷ୍ଟ ୮ ରୁ ୧୫ ତାରିଖ ପର୍ଯ୍ଯନ୍ତ ସମଗ୍ର ଦେଶରେ ‘ହର ଘର ତ୍ରିରଙ୍ଗା, ହର ଘର ସ୍ଵଚ୍ଛତା’ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ଵଚ୍ଛତା ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବ୍ୟକ୍ତିଗତ ଭାବେ ନିଜେ ସ୍ଵଚ୍ଛତା ପ୍ରତି ସଚେତନ ହେବା ସହ ନିଜ ଆଖ ପାଖ ଅଞ୍ଚଳର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ପୃଥକୀକରଣ କରି ସ୍ଵଚ୍ଛ ସବାରୀକୁ ଦେବା, ପୁନଃ ବ୍ୟବହାର ଯୋଗ୍ୟ ତଥା ପରିବେଶ ଅନୁକୂଳ ପଦାର୍ଥ ବ୍ୟବହାର କରିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ଆଦି ସଚେତନ ବାର୍ତ୍ତା ସହ ଏକ ସବୁଜ ଓ ସ୍ଵଚ୍ଛ ରାଉରକେଲା ସହର ଗଢ଼ି ତୋଳିବା ନିମନ୍ତେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
ଏହି ଶୋଭାଯାତ୍ରାରେ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍(ଭା.ପ୍ର.ସେ)ଙ୍କ ସହ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ ଏବଂ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ଏସଏଚଜି ମହିଳା ଓ ସ୍ଥାନୀୟ ଜନତା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ସଭିଏଁ ହାତରେ ଜାତୀୟ ପତାକା ଓ ସ୍ଵଚ୍ଛତା ସଚେତନତାର ବାର୍ତ୍ତା ବହନ କରୁଥିବା ପ୍ଲା କାର୍ଡ ଧରି ଦେଶାତ୍ମବୋଧକ ନାରା ଦେଇ ଉତ୍ସାହର ସହ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଯାହା ପୁରା ପରିବେଶକୁ ତ୍ରିରଙ୍ଗାମୟ କରିଥିଲା।