ରାଉରକେଲା: ମହାନଗର ନିଗମ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ।। ଗୁରୁତର ଅବସ୍ଥାରେ ଆର୍ ଜି ଏଚ ରେ ଭର୍ତ୍ତି।
ଆରଏମସି କାର୍ଯ୍ୟାଳୟରେ ଅସ୍ଥାୟୀ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ ।
ଭିଡିଓ ବାର୍ତ୍ତାରେ କହିଲେ ଯନ୍ତ୍ରଣାର କଥା। ଆରଜିଏଚ ରେ ଭର୍ତ୍ତି, ଅବସ୍ଥା ଗୁରୁତର
ରାଉରକେଲା:୨୭/୭(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଆଜି ଆରଏମସି କାର୍ଯ୍ୟାଳୟର ଏକ ରୁମ୍ ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ସୋସିଆଲ ମିଡିଆ ଲାଇଭ୍ ଭିଡ଼ିଓରେ ତାଙ୍କର ମନର କଥା କହିଥିଲେl ଯାହାକୁ ତାଙ୍କ ସହକର୍ମୀ ମାନେ ଦେଖିଥିଲେ। ସହକର୍ମୀ ମାନେ ଦେଖି ତୁରନ୍ତ ତାଙ୍କୁ ଖୋଜି କାର୍ଯ୍ୟାଳୟ ର ଉପର ତାଲାରେ ଥିବା ଏକ କୋଠରୀ ରେ ଠାବ କରିଥିଲେ। ସେତେ ବେଳକୁ ଖବର ପାଇ ଉଦିତ ନଗର ଥାନା ପୋଲିସ୍ ମଧ୍ୟ ପହଞ୍ଚି ଯାଇଥିଲେ। ଗଇନ୍ତା ରେ କବାଟ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରା ଯାଇଥିଲା। ସେତେ ବେଳକୁ ମହିଳା କର୍ମଚାରୀ ଜଣକ ଫ୍ୟାନ୍ ରେ ତାଙ୍କ ଓଢଣି ବାନ୍ଧି ସାରିଥିଲେ।
ପୋଲିସ୍ ଏବଂ ଆର୍ ଏମ୍ ସି କର୍ମଚାରୀ ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନା ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ମହିଳାଙ୍କ ପରିବାର ଲୋକେ ହସ୍ପିଟାଲ୍ ରେ ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, ପ୍ରାୟ ଦଶ ବର୍ଷ ପୂର୍ବରୁ ମହିଳାଙ୍କ ସ୍ୱାମୀ ଡ୍ୟୁଟି ସମୟରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ପଡ଼ି ଯାଇ ମୃତ୍ୟୁବରଣ କରିଥିଲେ। ଏହା ପରେ ଆରଏମସି ତରଫରୁ ତାଙ୍କୁ ଅନୁକମ୍ପାମୂଳକ ଭାବରେ ଚାକିରି ପ୍ରତିଶ୍ରୁତି ଦିଆଯାଇଥିଲା। ତାଙ୍କୁ କାମରେ ଲଗାଯାଇଥିଲା, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ, ତାଙ୍କୁ ଏପର୍ଯ୍ୟନ୍ତ ନିୟମିତ ନିଯୁକ୍ତି ମିଳିନାହିଁ। ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ ରହିବାକୁ କ୍ୱାର୍ଟର ମଧ୍ୟ ଦିଆ ଯାଇ ନଥିବା ଅଭିଯୋଗ ହେଉଛି। ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ମହିଳାଙ୍କୁ ନ୍ୟାୟ ଦିଆଯିବ ବୋଲି ବିଧାୟକ କହିଛନ୍ତି। ଅନ୍ୟ ପକ୍ଷରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହେଉଛି।