ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ୬ ଦଫା ଦାବିରେ ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାରଙ୍କ ସହ ମହାସଂଘ ର ଆଲୋଚନା ବିଫଳ ହେବା ପରେ ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଏବଂ ବିଭିନ୍ନ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପଡିଛି। ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ତୈଳ ପରିବହନ ପ୍ରଭାବିତ ହୋଇଛି। ଆଜି ସହରରେ ଥିବା ଅନେକ ଫୁଏଲ ସେଣ୍ଟର୍ ରେ ପେଟ୍ରୋଲ ଡିଜେଲ ଅଭାବ
ପରିଲକ୍ଷିତ ହୋଇଛି। ବିର୍ସା ଛକ ର ସହଯୋଗ ପେଟ୍ରୋଲ ପମ୍ପ ରେ ଦୁଇଟି ମେସିନ୍ ରେ ତେଲ ସରି ଯାଇଥିବା ବେଳେ ଅନ୍ୟ ୪ଟି ଟାଙ୍କିରେ ଅଳ୍ପ ତେଲ ରହିଛି। ସନ୍ଧ୍ୟା ସୁଦ୍ଧା ତେଲ ନଆସିଲେ ଅସୁବିଧା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଝାରସୁଗୁଡ଼ା ଡିପୋ ତେଲ ଟ୍ୟାଙ୍କର ବାହାରି ଥିଲେ ମଧ୍ୟ ରାସ୍ତାରେ ଅଟକାଇ ଦେବାର ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ୧୪୩ ନମ୍ୱର୍ ଜାତୀୟ ରାଜପଥ ନିକଟରେ ଡ୍ରାଇଭର ସଂଘର ଧାରଣା ଜାରି ରହିଛି। ସରକାର ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହା ଯାଇଛି।