ରାଉରକେଲା/ ସୁନ୍ଦରଗଡ଼ : ଜିଲ୍ଲା ଓଏଏସ ଅଧିକାରୀଙ୍କ କଲମ ଛାଡ ଆନ୍ଦୋଳନ ନିଷ୍ପତ୍ତି।। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକପତ୍ର।
ରାଉରକେଲା/ସୁନ୍ଦରଗଡ଼: ୧/୭ (ସତ୍ୟାନ୍ୟୂଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା ଓଏଏସ ଅଧିକାରୀ ମାନେ ଆନ୍ଦୋଳନ କୁ ଓହ୍ଲାହିଲେ। ବି ଏମ୍ ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟରେ କିଛି ଦୁବୃର୍ତ୍ତ ଙ୍କ ଅମାନୁଷିକ ଆକ୍ରମଣ ଘଟଣାର ପ୍ରତିବାଦ କରି ସୁନ୍ଦରଗଡ଼
ଓ ଏ ଏସ୍ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ ଆନ୍ଦୋଳନ ଡ଼ାକରା ଦିଆ ଯାଇଛି। ଫଳରେ ସରକାରୀ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ରାଉରକେଲାରେ ମଧ୍ୟ ଓଏଏସ ଅଧିକାରୀ ମାନେ କଲମ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆଜି ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଉରକେଲାର ଓଏଏସ ଅଧିକାରୀ ମାନେ ଏକତ୍ରିତ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବି ଏମ୍ ସି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ସମସ୍ତ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ଦାବି କରା ଯାଇଛି। ଏହି ବୈଠକରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟ ଓଏଏସ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଓଏଏସ ସଙ୍ଘ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କୁ ନେତୃତ୍ବ ରେ ଜିଲ୍ଲାପାଳଙ୍କୁ ଦାବି ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି। ବି ଏମ୍ ସି ଅଧିକାରୀଙ୍କ ଉପରେ ଆକ୍ରମଣ ଅମାନୁଷିକ ଏବଂ ବର୍ବରଚିତ ବୋଲି କହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା ଓଏଏସ ସଂଘ । ଏନେଇ ଘନଘନ ବୈଠକ ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବସିବା ପରେ ଏହି ନିଷ୍ପତି ଗ୍ରହଣ କରିଛି ସଙ୍ଘ । ବୈଠକ ପରେ ସଂଘର କର୍ମକର୍ତ୍ତା ମାନେ ଜିଲାପାଳ ଙ୍କୁ ଭେଟି ସଙ୍ଘ ର ନିଷ୍ପତି ଜଣାଇବା ସହ ଦୋଷୀ ଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।