ଭୁବନେଶ୍ୱର : ବି ଏମ୍ ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ।। ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ବିଜେଡିର ରାସ୍ତା ଅବରୋଧ।
ଭୁବନେଶ୍ୱର :୩୦/୬(ସତ୍ୟା ନ୍ୟୁଜ) ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କାର୍ଯ୍ୟରତ ଅତିରିକ୍ତ କମିଶନର ବରିଷ୍ଠ ଓଏଏସ୍ ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଘଟଣାରେ ପୁଲିସ ଜଣେ କର୍ପୋରେଟରଙ୍କ ସମେତ ମୋଟ ୩ଜଣଙ୍କୁ ଗିରଫ କରିଛି। ଏହାପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ଜନପଥରେ ରାସ୍ତାରୋକ ହୋଇଥିଲା । ପୁଲିସ ସହ ଧସ୍ତାଧସ୍ତି ପରେ ବିଜେଡି କର୍ମୀମାନଙ୍କୁ ପୁଲିସ ସେଠାରୁ ଉଠାଇ ନେବା ପରେ ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଅତିରିକ୍ତ କମିଶନର ଶ୍ରୀ ସାହୁ ନିଜ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିବା ବେଳେ ୬ରୁ ୭ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଘୋଷାଡ଼ି ନେଇ ମୁହଁକୁ ଗୋଇଠା ମାରିବା ସହ ଅମାନବୀୟ ଢଙ୍ଗରେ ମାଡ଼-ଗାଳି ସହ ରକ୍ତାକ୍ତ କରିଦେଇଥିଲେ ।
ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବିଏମସି ଅତିରିକ୍ତ କମିଶନର ଶ୍ରୀ ସାହୁ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଏମସିର କର୍ମଚାରୀମାନେ ଏହି ଧାରଣାରେ ବସିଥିଲେ ।
ସନ୍ଧ୍ୟାରେ ବିଜେଡିର କର୍ମୀ ଓ କର୍ପୋରେଟରମାନେ ପହଂଚି ଜନପଥରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପୁଲିସ ପ୍ରୟାସ କରିଥିବାବେଳେ ବିଜେଡି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେବା ପାଇଁ ବିଜେଡିର ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଓ ଅନନ୍ତ ନାରାୟଣ ଜେନାଙ୍କ ସମେତ ମେୟର ସୁଲୋଚନା ଦାସ ଓ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ । ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେବାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।
ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୩ଜଣଙ୍କୁ ଗିରଫ କରିଛି । ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶୀଷ ପ୍ରଧାନଙ୍କୁ ପୁଲିସ ଗିରଫଦାରି ସଂଖ୍ୟା ବଢ଼ି ପାରେ ବୋଲି ପୋଲିସ ସୂଚନା ଦେଇଛି । ତେବେ ବିଜେଡି ନେତାମାନେ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଜଣେ ବିଜେପି ନେତାଙ୍କ ଗିରଫ ଦାବି କରୁଥିବା ଜଣାପଡ଼ିଛି ।
ଏହି ଘଟଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କହିଥିବା ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଯେଉଁ ରାଜନୀତିକ ନେତା ଏହି ସମସ୍ତ ଘଟଣାର ଷଡ଼ଯନ୍ତ୍ର କରିଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନବୀନ ଦାବି କରିଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ନିରାପଦ ନଥିବାବେଳେ ରାଜ୍ୟରେ ସାଧାରଣ ଲୋକେ ସରକାରଙ୍କ ଠାରୁ କିଭଳି ଆଇନଶୃଙ୍ଖଳା ଆଶା କରିବେ ବୋଲି କହିଛନ୍ତି । ସରକାରଙ୍କ ପ୍ରତି ଆସ୍ଥା ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଆଇନ ତା’ବାଟରେ କାର୍ଯ୍ୟ କରିବ ବୋଲି କହିଛନ୍ତି । କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ।