ଭୁବନେଶ୍ୱର : ସହର ମଧ୍ୟରେ ପ୍ରାକୃତିକ ପରିବେଶର ଏକ ସୁନ୍ଦର ସ୍ଥାନ ‘ ଆନନ୍ଦ ବନ ‘। ସ୍ମାର୍ଟ ସିଟି ଲୋକଙ୍କ ଏବେ ଆକର୍ଷଣର କେନ୍ଦ୍ର ସାଜିଛି ୯୦ ଏକରର ଏହି ବନ।।
ଭୁବନେଶ୍ୱର : ୨୧/୬(ସତ୍ୟାନ୍ୟୁଜ) ସହରର କଂକ୍ରିଟ ଘେରା ଜୀବନରୁ ସମସ୍ତେ ଖୋଜନ୍ତି ଟିକେ ଶାନ୍ତିର ପରିବେଶ। ଭୁବନେଶ୍ୱର ସ୍ମାର୍ଟ ସିଟି ର ଲୋକମାନଙ୍କ ପାଇଁ ଏବେ ବରଦାନ ସାଜିଛି ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମାଣ କରା ଯାଇଥିବା ‘ ଆନନ୍ଦ ବନ ‘। ଭୁବନେଶ୍ୱର କଳିଙ୍ଗ ନଗରରେ
୯୦ ଏକର ଜମିରେ ସୃଷ୍ଟି କରା ଯାଇଛି ଏହି ମନୋରମ ଜଙ୍ଗଲ। ଆମେ ଏହି ପ୍ରାକୃତିକ ପରିବେଶର ଆନନ୍ଦ ନେବା ପାଇଁ ଗାଡ଼ିରେ ଆସି ପହଞ୍ଚିଲୁ ଆନନ୍ଦ ବନରେ। ଗାଡ଼ି ପାର୍କିଂ କରିବାକୁ କୌଣସି ଚାର୍ଜ ନଥିବା ବେଳେ ଆନନ୍ଦ ବନକୁ ମାତ୍ର ୫ ଟଙ୍କା ପ୍ରବେଶ ଶୁଳ୍କ ରହିଛି। ପ୍ରଵେଶ ପଥର ଆରମ୍ଭରେ ରହିଛି ବନର ମ୍ୟାପ୍।
ନବେ ଏକର ଜମିରେ ନିର୍ମିତ ଏହି ପ୍ରାକୃତିକ ତଥା ସୃଷ୍ଟି କରା ଯାଇଥିବା ଜଙ୍ଗଲର ଗୋଟିଏ ପଟେ ଅଛି ୬୦ ଏକର ଜମି। ରାସ୍ତାର ଅନ୍ୟ ପଟେ ରହିଛି ୩୦ ଏକର ଜମି। ଉଭୟ ଜମିକୁ ଯୋଡି ରଖିଛି ଏକ ଫୁଟ୍ ଓଭର ବ୍ରିଜ୍। ବନ ମଧ୍ୟରେ ରହିଛି ବହୁ ଔଷଧୀୟ ବୃକ୍ଷ। ଦୁଇଟି ଜଳାଶୟ ମଧ୍ୟ ରହିଛି। ସାଇକେଲ ଚଳାଇବା ଟ୍ରାକ୍ ମଧ୍ୟ ରହିଛି। ବହି ପଢିବାକୁ ବିଭିନ୍ନ ସ୍ଥାନରେ ବୁକ୍ ବକ୍ସ ଥିବା ବେଳେ ଏକ ଲାଇବ୍ରେରୀ ମଧ୍ୟ ରହିଛି। ବର୍ଷାରୁ ରକ୍ଷା ପାଇବା ଲାଗି ସ୍ଥାନେ ସ୍ଥାନେ ଇକୋ ରେନ୍ ସେଲ୍ଟର କେନ୍ଦ୍ର କରା ଯାଇଛି। ପ୍ରଵେଶ ଦ୍ଵାର ରେ ରହିଛି ଓରମାସ୍ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ର ବିଭିନ୍ନ ଖାଦ୍ୟ ସାମଗ୍ରୀ ଷ୍ଟଲ୍। କୋରାପୁଟ କଫି ର ମଧ୍ୟ ଏକ ଷ୍ଟଲ୍ ରହିଛି। ଆନନ୍ଦ ବନ କୁ ଏକ ପ୍ରାକୃତିକ ପରିବେଶର ସୁନ୍ଦର ରୂପ ଦିଆ ଯାଇଥିବା ବେଳେ ଏହାର ପାଖରେ ଗଢି ଉଠିଛି ବହୁତଳ ହଉସିଂ ପ୍ରୋଜେକ୍ଟ। ଏହା ଦ୍ବାରା କଂକ୍ରିଟ ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ବେଶ୍ ଫରକ୍ ପରିଲକ୍ଷିତ ହେଉଛି। ମୋଟ ଉପରେ ମେଟ୍ରୋ ସିଟି ର କୋଳାହଳ ମୟ ଜୀବନରୁ ଟିକେ ନିସ୍ତାର ଏବଂ ଶାନ୍ତି ପାଇଁ ଆନନ୍ଦ ବନ ଏକ ପ୍ରକୃଷ୍ଟ ସ୍ଥାନ।