ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।। ୧୮ ହଜାର ୬୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ।

0 242

ଭୁବନେଶ୍ୱର : ୨୦/୬(ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସୁଛନ୍ତି ଭୁବନେଶ୍ବର। ରାଜ୍ୟରେ ମୋହନ ମାଝି ସରକାରଙ୍କ ପ୍ରଥମ ବର୍ଷପୂର୍ତ୍ତି ଉତ୍ସବରେ ସାମିଲ ହୋଇ ପ୍ରାୟ ୧୯ ହଜାର କୋଟି ଟଙ୍କାର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଦଳୀୟ ସୂତ୍ରରୁ ଜଣ ପଡିଛି। ଏହାସହିତ ବିମାନ ବନ୍ଦରରୁ ଏକ ବିଶାଳ ରୋଡ୍ ଶୋ’ କରିବା ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି । କଳିଙ୍ଗ ଷ୍ଟାଡିୟମ୍ ନିକଟରୁ ଏହି ରୋଡ ଶୋ ଜନତା ମଇଦାନ ପର୍ଯ୍ୟନ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ଘଣ୍ଟିଆ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୩ଟା ୪୦ମିନିଟରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ୩ଟା ୪୫ମିନିଟରୁ ୪ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରୋଡ୍ ଶୋ’ ଓ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ଜନତା ମଇଦାନରେ ଆୟୋଜିତ ବର୍ଷପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ୪ଟା ୧୫ମିନିଟରୁ ୫ଟା ୩୦ମିନିଟ୍ ପର୍ଯ୍ୟନ୍ତ ରହିବେ । ଆଉ ୫ଟା ୪୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ନିମନ୍ତେ ଭବ୍ୟ ପ୍ରସ୍ତୁତି ହୋଇଛି । ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ୨୮ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରାୟ ୨ଲକ୍ଷ ଲୋକ ଏହି ରୋଡ୍ ଶୋ’ରେ ସାମିଲ ହେବା ନେଇ ଆକଳନ କରା ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ଓ କଳିଙ୍ଗ ଷ୍ଟାଡ଼ିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଯୋଗ ଦେବେ । ଜନତା ମଇଦାନରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରା ଯାଉଛି।

ମୋହନ ସରକାରଙ୍କ ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ମୋଟ ୧୮୬୦୦କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିରେ ୬୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪୫ଟି ପ୍ରକଳ୍ପର ଉଦଘାଟନ ସାମିଲ ଅଛି । ଏସବୁ ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ, ସିଂଚନ, କୃଷି , ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଡ଼କ ଓ ବ୍ରିଜ୍ , ଜାତୀୟ ରାଜପଥ ଓ ନୂଆ ରେଳମାର୍ଗ ସାମିଲ ଅଛି ।
ବୌଦ୍ଧ ଜିଲ୍ଲାକୁ ପ୍ରଥମଥର ଜାତୀୟ ରେଳ ନେଟୱାର୍କ ସହ ସଂଯୋଗ କରି ନୂତନ ଟ୍ରେନ ସେବାର ଶୁଭାରମ୍ଭ କରିବେ । କ୍ରୁଟ୍ ପରିବହନ ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ ମଧ୍ୟ କରିବେ । ସେହିପରି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ୨୦୩୬- ଭିଜନ ଡକ୍ୟୁମେଂଟର ଉନ୍ମୋଚନ କରିବା ସହ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ୫୦ହଜାର ହିତାଧିକାରୀ ଗୃହ କାର୍ଯ୍ୟାଦେଶ ବଣ୍ଟନ, ଆୟୁଷ୍ମାନ କାର୍ଡ ବଣ୍ଟନ, ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା କରିବେ ବୋଲି ଜଣାପଡ଼ିଛି ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନକୁ ଯାଇ ସେଠାରେ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଗସ୍ତ ଓ ସୁରକ୍ଷା ପାଇଁ ମୋଟ ୧୩୩ଟି ପ୍ଲାଟୁନ ପୁଲିସ୍ ଫୋର୍ସ ଓ ୫୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡ଼ିଶା ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଓଡ଼ିଶା ଭିଜନ ଡକ୍ୟୁମେଂଟ ରାଜ୍ୟର ବିକାଶ ପାଇଁ ଏକ ରୋଡମ୍ୟାପ ହେବ । ବର୍ଷକ ଭିତରେ ଷଷ୍ଠ ଥର ଗସ୍ତ ହିଁ ଓଡ଼ିଶା ପ୍ରତି ତାଙ୍କର ଭଲପାଇବାକୁ ଦର୍ଶାଉଛି । ବର୍ଷକର ବିକାଶକୁ ସହି ନପାରି ବିରୋଧୀ ଦଳମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କର ନୈତିକତା ନାହିଁ । ସେମାନଙ୍କ ଶାସନବେଳେ ଯାହା ହୋଇଛି ତାହା ଲୋକେ ଦେଖିଛନ୍ତି । ସେସବୁର ଆଲୋଚନା ନକରିବା ହିଁ ଭଲ ।” ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଉନ୍ମୋଚିତ ହେବାକୁ ଥିବା ଏହି ଡକ୍ୟୁମେଣ୍ଟ କୃଷି, ଭିତ୍ତିଭୂମି ଓ ଗ୍ରାମୀଣ ସଶକ୍ତିକରଣ ଆଦି କ୍ଷେତ୍ରରେ ରାଜ୍ୟର ଅଗ୍ରାଧିକାର ପ୍ରତିଫଳିତ କରିବ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, “ରାଜ୍ୟରେ ଗଣଦୁଷ୍କର୍ମ ଓ ହଇଜା ଭଳି ସମସ୍ୟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉତ୍ସବମୁଖର ଗସ୍ତ ଅନୁଚିତ । ନାରୀ ନିର୍ଯାତନା ବୃଦ୍ଧି ପାଉଛି, କିନ୍ତୁ ସରକାର ଏହାକୁ ଗୁରୁତ୍ୱ ଦେଉନାହିଁ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରତିବାଦରେ ଆଜି କଂଗ୍ରେସ କର୍ମୀମାନେ ଏହାର ବିରୋଧରେ ଅନଶନରେ ବସିବା ନେଇ ସୂଚନା ମିଳୁଛି।

Leave A Reply

Your email address will not be published.