ସୁନ୍ଦରଗଡ଼ : ଡ଼ାଇରିଆ ନିରାକରଣ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।। ଡାଇରିଆ ଯୋଗୁଁ ଶିଶୁ ମୃତ୍ୟୁ ହାର ରୋକ୍ ଉପରେ ଗୁରୁତ୍ବ।
ସୁନ୍ଦରଗଡ଼ : ୧୮/୬(ସତ୍ୟାନ୍ୟୁଜ)
ଆଜି ସୁନ୍ଦରଗଡ଼ ଜିଲ୍ଲା ସଦଭାବନା ଭବନରେ ଡାଇରିଆ ନିରାକରଣ ଅଭିଯାନ ୨୦୨୫ ର ସଫଳ କର୍ଯ୍ୟନ୍ଵୟନକୁ ନେଇ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଅଧ୍ୟକ୍ଷତା କରିଥିଲେ। ୧୬ ମଇରୁ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ଡାଇରିଆ ଯୋଗୁଁ ଶିଶୁ ମୃତ୍ୟୁହାର ଶୂନ୍ୟକୁ ଆଣିବା ପାଇଁ ଜିଲ୍ଲା ସ୍ତରରେ କରାଯାଉଥିବା ପ୍ରସ୍ତୁତି ଏବଂ ରଣନୀତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ଏହି ଅଭିଯାନ ଅଧୀନରେ, ପାଞ୍ଚ ବର୍ଷରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ଦୁଇଟି ଓଆରଏସ ପ୍ୟାକେଟ ଏବଂ ଦୁଇଟି ଜିଙ୍କ୍ ଟାବଲେଟ୍ ବଣ୍ଟନ କରାଯାଉଅଛି। ଏହା ସହିତ ବୟସ୍କ ଡାଇରିଆ ରୋଗୀଙ୍କ ପାଇଁ ମଧ୍ଯ ଓଆରଏସ ପ୍ୟାକେଟ ଦିଆଯାଉଛି।
ଏହି ଅଭିଯାନରେ ଡାଇରିଆ ରୋଗୀଙ୍କ ଶୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ପ୍ରଭାବଶାଳୀ ପରିଚାଳନା, ସଚେତନତା ପାଇଁ ଆଇଇସି କାର୍ଯ୍ୟକଳାପ କରିବା, ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଦୂରଦୂରାନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଏବଂ ସେବା ପ୍ରଦାନକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ଯାହା ଦ୍ୱାରା ଠିକ୍ ସମୟ ମଧ୍ୟରେ ରୋଗ ଚିହ୍ନଟ ହୋଇପାରିବ )ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ।
ଜିଲ୍ଲାପାଳ ଶ୍ରୀ ମହାଜନ ଏହି ଅଭିଯାନକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଥିଲେ।