ରାଉରକେଲା : ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ପାଇଁ ବି ଟେକ୍, ଏମବିଏ ଛାତ୍ରଛାତ୍ରୀ ।। ୧୦୭ ପଦବୀ ପାଇଁ ୯ ହଜାର ୬୧ ପ୍ରାର୍ଥୀ।। ଷ୍ଟାଡିୟମ ରେ କଡ଼ା ସୁରକ୍ଷା ବ୍ୟବସ୍ଥା।

0 445

ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ସମ୍ପନ୍ନ।
୧୦୭ ପଦବି ପାଇଁ ୯,୦୬୧ ପ୍ରାର୍ଥୀ
-ତାଲିକାରେ ବି.ଟେକ୍‌, ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ।

  • କଡା ସୁରକ୍ଷା ବ୍ୟବସ୍ଥା ।

ରାଉରକେଲା: ୯/୬(ସତ୍ୟାନ୍ୟୁଜ) ଆଜି ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ପରୀକ୍ଷା ହୋଇ ଯାଇଛି। ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଠାରୁ ଅଧିକ ପାଠ ପଡ଼ିଥିବା ପ୍ରାର୍ଥୀ ମାନେ ପରୀକ୍ଷା ଦେଇଛନ୍ତି। ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍‌ ମାସକୁ ପ୍ରାୟ ୧୮ ହଜାର ଟଙ୍କା ପାଇବେ ଗୃହରକ୍ଷୀ।
ଆବେଦନକାରୀଙ୍କ ତାଲିକାରେ କିନ୍ତୁ ଅଛନ୍ତି ବି.ଟେକ୍‌ ଓ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ। ୨୨ ଥାନାରେ ଆବଶ୍ୟକ ୧୦୭ ପଦବି ପାଇଁ ଆବେଦନ କରିଛନ୍ତି ୯ ହଜାର ୬୧ ପ୍ରାର୍ଥୀ। ଏଥିରୁ ପ୍ରାୟ ଅଧିକାଂଶ ଉଚ୍ଚ
ଶିକ୍ଷିତ। କିଏ ଏମ୍‌ବିଏ, ଏମ୍‌ସିଏ କରିଛି ତ ଅନ୍ୟ କିଏ ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ। ପରୀକ୍ଷା ସାଢ଼େ ୭ଟାରୁ ଆରମ୍ଭ ହୋଇ ସାଢ଼େ ୯ଟାରେ ସରିଛି।

ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ୯, ୦୬୧ ପରୀକ୍ଷାର୍ଥୀ ପ୍ରଥମ ୨୦ ମାର୍କ ପାଇଁ ୩୦ ମିନିଟ୍‌ ପାରାଗ୍ରାଫ୍‌ ରାଇଟିଂ କରିଛନ୍ତି। ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ୪୦ ମାର୍କର ସାଧାରଣ ଜ୍ଞାନ ପରୀକ୍ଷା, ଏମିତି ମୋଟ ୮୦ ମାର୍କର ପରୀକ୍ଷା ହେବ। ୨ କି.ମି. ଚାଲିବା ସହ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ମଧ୍ୟ ଦେବେ। ଦୈନିକ ୬୧୨ ଟଙ୍କା ପାରିଶ୍ରମିକ ପାଇଁ ହଜାର ହଜାର ବେକାରୀ ଗୃହରକ୍ଷୀ ଭଳି ଚାକିରି ପାଇବାକୁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ମାତ୍ର ୧୦୭ ପଦବି ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିବା ପୁଲିସ ପ୍ରଶାସନର ଚିନ୍ତା ବଢ଼ାଇ ଥିଲା। ଏସବୁ ଦୃଷ୍ଟିକୋଣରୁ ସୋମବାର ସକାଳେ ଷ୍ଟାଡିୟମରେ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଜିଲ୍ଲା ପୁଲିସ ବରିଷ୍ଠ ଅଧିକାରୀମାନେ ପୂରାଦମ୍‌ ଲଗାଇ ଦେଇ ଥିଲେ। ଗତକାଲି ଅପରାହ୍ନରେ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ପ୍ରାୟ ୫ଟାରେ ପରୀକ୍ଷାର୍ଥୀମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ଥିଲେ। ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ସୁରକ୍ଷା ଦାୟିତ୍ବରେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ସହ ୬ ଅତିରିକ୍ତ ଏସ୍‌ପିନଥିଲେ। ଏଥିସହ ୧୭ ଇନ୍ସପେକ୍ଟର, ୮୬ ଏସ୍‌ଆଇ ଓ ଏସ୍‌ଏସ୍ଆଇ, ୧୫୦ରୁ ଅଧିକ ଗୃହରକ୍ଷୀ, ଟ୍ରାଫିକ୍‌ ପୁଲିସ ସହ ୧୦ ପ୍ଳାଟୁନ୍‌ ପୁଲିସ ଫୋର୍ସ ରଖା ଯାଇଥିଲା।‌ କେବଳ ଏତିକି ନୁହେଁ ଏକକାଳୀନ ଷ୍ଟାଡିୟମ ପଡ଼ିଆରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ହେଉଥିବାରୁ ଆକାଶମାର୍ଗରୁ ସେମାନଙ୍କ ଉପରେ କଡ଼ା ନଜର ଡ୍ରୋନ୍‌ ଦ୍ଵାରା ରଖା ଯାଇଥିଲା। ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ପଦବି ପାଇଁ ଗତ ମାର୍ଚ୍ଚରେ ରିଜର୍ଭ ପୁଲିସ ପଡ଼ିଆରେ ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କ ଲମ୍ବା ଧାଡ଼ି ଲାଗିଥିଲା। କିଛି ଦିନ ପୂର୍ବରୁ ଆଡମିଟ କାର୍ଡ ନେବାକୁ ରଘୁନାଥ ପାଲି ଥାନାରେ ମଧ୍ୟ ଲମ୍ବା ଲାଇନ୍ ଲାଗିଥିଲା। ରାଉରକେଲା ସହର ସମେତ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା, ବଣାଇ, କୋଇଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ବ୍ଲକରୁ ଦୈନିକ ଶହଶହ ବେକାର ଯୁବକଯୁବତୀ ରିଜର୍ଭ କାର୍ଯ୍ୟାଳୟ ଆଗରେ ସକାଳୁସକାଳୁ ଲମ୍ବା ଧାଡ଼ି ଲଗାଉ ଥିଲେ।

କେବଳ ରାଉରକେଲା ପୁଲିସ ଜିଲ୍ଲା ନୁହେଁ, ସେହି ସମାନସ୍ଥିତି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୯୨ଟି ପଦ ପାଇଁ ୫ ହଜାରରୁ ଅଧିକ ଆଶାୟୀ ଆବେଦନ କରିସାରିଥିବା ଜଣାପଡ଼ିଛି। ରାଉରକେଲା ପୁଲିସ ଜିଲ୍ଲା ପରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ପାଇଁ ଗୃହରକ୍ଷୀ ପରୀକ୍ଷା ହେବ।

Leave A Reply

Your email address will not be published.