ସୁନ୍ଦରଗଡ଼ : ଅପରେସନ ‘ ସିନ୍ଦୂର ‘ ରେ ଆହତ ବି ଏସ୍ ଏଫ୍ ଯବାନଙ୍କୁ ଜନ୍ମମାଟିରେ ସ୍ବାଗତ।। ଡାକରା ପାଇଲେ ଯୁଦ୍ଧ କ୍ଷେତ୍ରକୁ ପୁଣି ଯିବେ ବୋଲି କହିଲେ ଯବାନ ମନୋହର।
ସୁନ୍ଦରଗଡ଼ : ୩/୬(ସତ୍ୟାନ୍ୟୁଜ) ଅପରେସନ ‘ ସିନ୍ଦୂର ‘ ରେ କାଶ୍ମୀର ର ଆର୍ ଏସ୍ ପୁରା ସେକ୍ଟର ସୀମାରେ ଶତ୍ରୁ ପକ୍ଷ ପାକିସ୍ତାନ ସହ ମୁକାବିଲା କରିବା ସମୟରେ ସୁନ୍ଦରଗଡ଼ ଜିଲ୍ଲା ର ଲଢ଼ୁଆ ପୁଅ
ବି ଏସ୍ ଏଫ୍ ଯବାନ ମନୋହର ଖାଲଖୋ ଡ୍ରୋନ୍ ଅଟାକ୍ ରେ ଗୁରୁତର ଆହତ ହୋଇଥିଲେ। ସାମାନ୍ୟ ଆରୋଗ୍ୟ ଲାଭ ପରେ ସେ ତାଙ୍କ ଜନ୍ମମାଟି ଲେଫ୍ରିପଡା ବ୍ଲକ୍ ହରସମରା ରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁ ଲୋକେ ତାଙ୍କୁ କାନ୍ଧ ରେ ବସାଇ ଗାଁ କୁ ପାଛୋଟି ଆଣି ସମ୍ବର୍ଦ୍ଧିତ କରିଥିଲେ। ଝାରସୁଗୁଡ଼ା ରେ ସେ ପହଞ୍ଚିବା ପରେ ସୁନ୍ଦରଗଡ଼ ପୋଲିସ୍ , ସ୍ଥାନୀୟ ଲୋକେ ତାଙ୍କୁ ସ୍ବାଗତ କରିଥିଲେ ।
୧୦ ତାରିଖ ଦିନ ଡ୍ରୋନ୍ ଆକ୍ରମଣରେ ମନୋହର ଙ୍କ ହାତରେ ଆଘାତ ଲାଗିଥିଲା। ଗଭୀର ଆହତ ହେବା ସ୍ୱତ୍ତେ ସେ ପଛଘୁଞ୍ଚା ଦେଇନଥିଲେ। ପରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ଯୁଦ୍ଧ ବିରତି ଏଵଂ ସାମାନ୍ୟ ସୁସ୍ଥତା ପରେ ସେ ନିଜ ଜନ୍ମମାଟିକୁ ଫେରି ଥିଲେ। ଘରେ ତାଙ୍କୁ ଅନାଇ ବସିଥିଲେ ସ୍ତ୍ରୀ , ଛୋଟ ପୁଅ ଝିଅ , ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟ। ମନୋହରଙ୍କ ଆହତ ଖବର ପାଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ଆଜି ତାଙ୍କୁ ପାଖରେ ପାଇ ବେସ୍ ଖୁସି ଅଛନ୍ତି ସମସ୍ତେ। ଅନ୍ୟ ପକ୍ଷରେ ଯୁଦ୍ଧ କ୍ଷେତ୍ରରୁ ଡାକରା ପାଇଲେ ସଙ୍ଗେ ସଙ୍ଗେ ଚାଲି ଯିବେ ବୋଲି କହି ଛନ୍ତି ମନୋହର।