ସୁନ୍ଦରଗଡ଼ : କୋଟି କୋଟି ଟଙ୍କା ଖଣି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ।। ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।। ତଦନ୍ତ ପାଇଁ ଏସ୍ଆଇଟି ଗଠନ।
- ଖଣି ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍
*ଦୁର୍ନୀତି ର ତଦନ୍ତ କରିବ ଭିଜିଲାନ୍ସ
*ଗଠନ ହେଲା ଏସ୍ଆଇଟି
ସୁନ୍ଦରଗଡ଼: ୨୪/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲ ଅଞ୍ଚଳରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ ଚୋରା କାରବାରର ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଜିଲ୍ଲାର ହେମଗିରି ତହସିଲ୍ ରେ ୨୨ଟି ଖଣିରୁ ବେଆଇନ୍ ଭାବେ ପାଖା ପାଖି ୧୦ ହଜାର ଟନ୍ କୋଇଲା ଉତ୍ତୋଳନ କରାଯାଇଛି। ସେହିପରି କୋଇଡା ତହସିଲ୍ ରେ ୫୦ ଟି ଖଣିରୁ ବେଆଇନ୍ ଭାବେ କୋଟି କୋଟି ଟଙ୍କା ମୂଲ୍ୟର ମାଙ୍ଗାନିଜ ଏବଂ ଲୁହା ପଥର ଉତ୍ତୋଳନ କରା ଯାଇଛି। ବିଭିନ୍ନ ଗଣ ମାଧ୍ୟମ ରେ ଏହି ଚୋରି ବାବଦରେ ଖବର ପ୍ରସାରଣ ପରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀଙ୍କ ସହ ବେଆଇନ୍ ଖଣି ଉତ୍ତୋଳନ ସ୍ଥଳ ପରିଦର୍ଶନ କରିଥିଲେ। ଏହି ଖଣିଜ ପଦାର୍ଥ ଚୋରି ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି।
ଭିଜିଲାନସ୍ ତଦନ୍ତ ନିର୍ଦ୍ଦେଶ ର କିଛି ଦିନ ପୂର୍ବରୁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀ ମାନଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିବା ସହ ଏଥି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣିଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆସିଛନ୍ତି । ଖଣି ଦୁର୍ନୀତିର ମୁଳୋତ୍ପାଟନ କରାଯିବ ବୋଲି ସେ ବାରମ୍ୱାର କହି ଆସିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନ୍ସ କୁ ନିର୍ଦ୍ଦେଶ ଦେଇଛନ୍ତି ।
ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଦୋଷୀ ଯେ କେହିବି ହୋଇ ଥାନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି I
ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି। ଯାହାର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗ୍ରାମରେ, ୩ଟି ରତ୍ନସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି। ଏଥିସହିତ ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି ।
ସେହିପରି କୋଇଡା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ୫୦ଟି ବେଆଇନ ମାଙ୍ଗାନିଜ୍ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି।
ଏହି ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ । ଏସବୁ ଖଣି ଗୁଡ଼ିକରୁ ୨୦ ହଜାର ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ମାଙ୍ଗାନିଜ ଓର୍ ଏବଂ ୧୨୦୦ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଆଇରନ ଓର୍ ବେଆଇନ ଭାବେ ଉତ୍ତୋଳନ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ।