ରାଉରକେଲା:୧/୫(ସତ୍ୟାନ୍ୟୁଜ) ରାଉରକେଲା ପୋଲିସର ମଦ ଏବଂ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି। ଅବକାରୀ ଆଇନ୍ କୁ ଉଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗତକାଲି ଏକ ବିଦେଶୀ ମଦ ଦୋକାନ ସିଲ୍ କରା ଯାଇଥିଲା। ଆଜି ପ୍ଲାଣ୍ଟ ସାଇଟ୍ ପୋଲିସ୍ କୁ ମିଳିଛି ଆଉ ଏକ ସଫଳତା। ପୋଲିସ୍ ଦୀପ୍ତି ହୋଟେଲ ପଛପଟ ଟିମ୍ୱର୍ କଲୋନୀ ନିକଟରେ ରେଡ୍ କରି ୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନ ସୁଗର୍ ଜବତ କରିଥିବା ବେଳେ ୩ ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ କେଶବ ନାଗ , ବିବେକ ନନ୍ଦ , କାର୍ତ୍ତିକ ନନ୍ଦ ବୋଲି ପୋଲିସ୍ ସୂତ୍ରରୁ ଜଣା ପଡିଛି। ଏହି ଯୁବକ ମାନେ ଏକ କଳା ଆକ୍ଟିଭା ଗାଡ଼ିରେ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ପୋଲିସ୍ ମାଡ଼ି ବସି ଥିଲା। ଗାଡ଼ି ଯାଞ୍ଚ କଲାବେଳେ ଡିକି ରୁ ୩୧ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା। ଏହି ନିଶା ଦ୍ରବ୍ୟକୁ ଅଭିଯୁକ୍ତ ମାନେ ସ୍କୁଲ ଏବଂ କଲେଜ ପିଲାଙ୍କୁ ବିକ୍ରି କରିବାକୁ ନେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏ ବାବଦରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ର ଅଧିକ ତଦନ୍ତ ଜାରୀ ରହିଛି।