ରାଉରକେଲା : ୩୬ ଘଣ୍ଟା ପରେ ବରକାନି ଧାରଣା ସ୍ଥଳ ନିକଟରୁ ଏତୋ ଏକ୍କାଙ୍କ ମୃତ ଦେହ ସ୍ଥାନାନ୍ତର।। ପ୍ରଶାସନ ପ୍ରତିଶ୍ରୁତି ପରେ ସ୍ଥାନାନ୍ତର
ରାଉରକେଲା:୨୧/୪(ସତ୍ୟାନ୍ୟୁଜ) ପ୍ରଶାସନ ସହ ଆଲୋଚନା ପରେ ଡୁମେର୍ତ୍ତା ବରକାନି ଠାରେ
ଆର୍ ଏସ ପି ରେଳ ଲାଇନ୍ ନିର୍ମାଣ ପ୍ରସଙ୍ଗ କୁ ନେଇ ଚାଲିଥିବା ଧାରଣାରେ ଆଜି ମଧ୍ୟ ଗ୍ରାମବାସୀ ବସିଥିବା ବେଳେ ସମାସ୍ୟା ସମାଧାନର ବାଟ ଫିଟିଛି। ଶନିବାର ଦିନ ଜେସିବି ମାଡ଼ି ଯାଇ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ଏତୁଆ ଏକ୍କାଙ୍କ ମୃତ ଦେହକୁ ୩୬ ଘଣ୍ଟା ପରେ ରାଉରକେଲା ସରକାରୀ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା କାଲି ପୋଷ୍ଟ ମର୍ଟମ୍ କରାଯିବା ନେଇ ସୂଚନା ମିଳିଛି। ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣି, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧ୍ୱୱାନି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରତିଶ୍ରୁତି ପ୍ରଶାସନ ପକ୍ଷରୁ ଦିଆଯାଇଥିବା କୁହା ଯାଉଛି। ତେବେ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାରୁ ଘଟଣା ସ୍ଥଳରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ଧାରଣାରେ ବସି ରହିଛନ୍ତି।
ମୃତ୍ୟୁ ବରଣ କରିଥିବା ଏତୁଆ ଏକ୍କା ଙ୍କ ପରିବାରକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ୩୫ ଲକ୍ଷ ଟଙ୍କା କ୍ଷତି ପୂରଣ , ଏତୁଆ ଙ୍କୁ ଚପାଇ ଦେଇଥିବା ଜେସିବି ର ବୀମା ନଥିବାରୁ ଏହାର ମାଲିକ ୨୫ ଲକ୍ଷ ଟଙ୍କା ମୃତକଙ୍କ ପରିବାର କୁ ଦେବାକୁ ଗ୍ରାମବାସୀ ଦାବି ପତ୍ର ପ୍ରଶାସନକୁ ଦେଇ ଛନ୍ତି। ଏହା ଛଡ଼ା ମୃତ ଏତୁଆ ଏକ୍କା ଙ୍କ ପରିବାର ର ଜଣେ ସଦସ୍ୟଙ୍କୁ ଆର୍ ଏସ ପି ରେ ସ୍ଥାୟୀ ଚାକିରୀ , ତାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ବହନ କରିବା ଦାବି କରା ଯାଇଛି। ଆହତ ହୋଇ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅନ୍ୟ ଜଣେ ଗ୍ରାମବାସୀଙ୍କୁ ୩୫ ଲକ୍ଷ କ୍ଷତିପୂରଣ ଦେବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ଦାବି କରା ଯାଇଛି। ଏହାଛଡା ବାସଚ୍ୟୁତଙ୍କ ଚାଷ ଜମିକୁ ଆର୍ ଏସ ପି ଫେରାଇ ଦେବାକୁ ପଦକ୍ଷେପ ନେବା ଏବଂ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆରଏସପି ନିର୍ମାଣ କାମ ବନ୍ଦ ରଖିବା ଦାବି କରା ଯାଇଛି।