ସୁନ୍ଦରଗଡ଼ : ବେଆଇନ୍ ଖଣି ଖନନ ର ଗ୍ରାଉଣ୍ଡ ଜିରୋ ରେ ଇସ୍ପାତ ଖଣି ମନ୍ତ୍ରୀଙ୍କ ତଦାରଖ।। ଜଙ୍ଗଲ ମନ୍ତ୍ରୀ ମଧ୍ୟ ରିପୋର୍ଟ ନେଲେ।
ସୁନ୍ଦରଗଡ଼:୧୮/୪(ସାତ୍ୟାନ୍ୟୁଜ) ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୁନ୍ଦରଗଡ଼ ଜିଲ୍ଲାର ବେଆଇନ୍ ଖଣି ଖନନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କ ସାଙ୍ଗରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ , ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସାମିଲ ଥିଲେ। ମନ୍ତ୍ରୀ ଗୋପାଳପୁର ଅଞ୍ଚଳର ତେଲେନଡ଼ିହି ଜଙ୍ଗଲରେ ପହଞ୍ଚି ଗ୍ରାଉଣ୍ଡ ଜିରୋରେ ବେଆଇନ୍ ଖଣି ଖନନର ବାସ୍ତବତା ତଦାରଖ କରିଥିଲେ। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଖଣି ମାଫିଆମାନଙ୍କ ଦ୍ଵାରା ବେଆଇନ ଖଣି ଖନନ ଚାଲିଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ ଦ୍ବୟ। ବେଆଇନ୍ ଖଣି ଖନନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ସହ ଏହି ଗସ୍ତରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣି , ସୁନ୍ଦରଗଡ଼ ଏଡିଏମ୍ , ଉପଜିଲ୍ଲାପାଳ ପ୍ରମୁଖ ସାମିଲ ଥିଲେ। ଖଣି ବିଭାଗ ଅଧିକାରୀ , ଡି ଏଫ୍ ଓ ମନ୍ତ୍ରୀଙ୍କୁ ଖଣି ଖନନ ବାବଦରେ ଅବଗତ କରାଇଥିଲେ। ଯେ କୌଣସି ସ୍ଥାନରେ ବେଆଇନ୍ ଖଣି ଖନନ ଉପରେ ଅଙ୍କୁଶ ଲଗାଇବା ମୋହନ ମାଝି ସରକାରର ପ୍ରାଥମିକତା ବୋଲି ମନ୍ତ୍ରୀ ଏବଂ ବିଧାୟକ କହିଥିଲେ।
ଗତ ଏକ ସପ୍ତାହ ହେଲା ସୁନ୍ଦରଗଡ଼ ତେଲେନ୍ ଡିହି ଜଙ୍ଗଲ ସହ ଅନ୍ୟ ଦୁଇଟି ଜଙ୍ଗଲରେ ବେଆଇନ୍ ଖଣି ଖନନ ଉପରେ ଚଢ଼ାଉ ଚାଲିଛି। ହଜାର ହଜାର ଟନ୍ ବେଆଇନ୍ କୋଇଲା ମଧ୍ୟ ଜବତ ହୋଇଛି। ବେଆଇନ୍ କୋଇଲା ଷ୍ଟକ୍ ରଖିବା ଅଭିଯୋଗରେ ଆର୍ଯ୍ୟାନ୍ କୋଲ୍ ୱାସେରି କୁ ସିଲ୍ ମଧ୍ୟ କରା ଯାଇଛି।