ରାଉରକେଲା : କୁମ୍ଭମେଳା ରୁ ଫେରିବା ବେଳେ ଦୁର୍ଘଟଣାରେ ରାଉରକେଲାର ବୀମା ଅଧିକାରୀ ମୃତ।। ପରିବାରର ଅନ୍ୟ ଛଅ ଜଣ ଗୁରୁତର।

0 1,798

ରାଉରକେଲା : ୧୨/୨(ସତ୍ୟା ନ୍ୟୁଜ) ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ରାଉରକେଲା ଫେରୁଥିବା ବେଳେ ଗୋଟିଏ ପରିବାର ଏବଂ ତାଙ୍କ ସମ୍ପର୍କୀୟ ମାନେ ଏକ ଭୀଷଣ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ କାର ଚଳାଉଥିବା ଜୀବନ ବୀମା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ୬ ଜଣ ସଦସ୍ୟ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଦୁଇଜଣ ଡେଲି ମାର୍କେଟ ଅଞ୍ଚଳର ସ୍ବାମୀ ସ୍ତ୍ରୀ ଗୁରୁତର ଅଛନ୍ତି। କୁମ୍ଭମେଳାରୁ ଘରକୁ ଫେରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ବୀମା ଅଧିକାରୀ ରକ୍ତିମ ପୂଜାରୀଙ୍କ ଜୀବନ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପତ୍ନୀ, ଦୁଇ ବର୍ଷର ଝିଅ, ଦୁଇ ମାଉସୀ ଓ ମଉସା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲା ବିନ୍ଧଗଞ୍ଜ ଥାନା ଅନ୍ତର୍ଗତ ଦୁଦ୍ଧି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ମୃତକ ହେଲେ କୋଏଲନଗର ଏ-୧୩୬ର ବୀମା ଅଧିକାରୀ ରକ୍ତିମ ପୂଜାରୀ (୩୫)। ଗୁରୁତରମାନେ ହେଲେ ରକ୍ତିମଙ୍କ ପତ୍ନୀ ପ୍ରିୟଦର୍ଶନୀ ପାତ୍ର (୨୬), ଝିଅ ୟୁଂବଶୀ ପୂଜାରୀ (୨), ମା’ କବିତା ପଣ୍ଡା (୬୦), ମାଉସୀ ଅନିତା (୫୫), ବିନିତା (୫୨) ଓ ମଉସା ନରେନ୍ଦ୍ର ନାଥ ଶତପଥୀ (୫୫)। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶ ବିନ୍ଧମଗଞ୍ଜ ଅନ୍ତର୍ଗତ ରିୱା-ରା‌ଞ୍ଚି ଜାତୀୟ ରାଜପଥର ଫୁଲବର ଗାଁ ନିକଟରେ ରକ୍ତିମଙ୍କ କାର (ଓଡି ୧୪କେ-୬୧୮୫) ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକା ହୋଇଥିଲା। ସ୍ଥାନୀୟ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଓ କାର୍‌ରୁ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ପଠାଇଥିଲା। ଗତକାଲି ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣା ଖବର ରାଉରକେଲାରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ପରିବାର ଲୋକ ପହଞ୍ଚିନ୍ତି। ପୁଲିସ ମୃତ ରକ୍ତିମଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆଜି ରକ୍ତିମଙ୍କ ମୃତ ଶରୀର ରାଉରକେଲା ପହଞ୍ଚିବ ବୋଲି ଜଣାପଡିଛି।
କୋଏଲନଗର ଏ-୧୩୬ରେ ରକ୍ତିମ ପୂଜାରୀ ଓ ତାଙ୍କ ପରିବାର ରହନ୍ତି। ରକ୍ତିମ ଉଦିତନଗର ଏଲ୍‌ଆଇସି କାର୍ଯ୍ୟାଳୟର ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟାଳୟରୁ ଛୁଟି ନେଇ ଗତ ୪ ଦିନ ତଳେ ରାଉରକେଲାରୁ ନିଜ ହ୍ୟୁଣ୍ଡାଇ ଆଇ-୧୦ କାର୍‌ରେ ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳା ବାହାରିଥିଲେ। ରକ୍ତିମ ନିଜେ କାର୍‌ ଚଳାଉଥିଲେ। ଆଗ ସିଟ୍‌ରେ ବସିଥିଲେ ପତ୍ନୀ ପ୍ରିୟଦର୍ଶନୀ ଓ ଦୁଇ ବର୍ଷ ଝିଅ ୟୁବଂଶୀ। ପଛ ସିଟ୍‌ରେ ଦୁଇ ମା’, ଦୁଇ ମାଉସୀ ଓ ମଉସା ବସିଥିଲେ।

Leave A Reply

Your email address will not be published.