ରାଉରକେଲା : ନକଲି ସୁନା କୁ ଅସଲି ଦର୍ଶାଇ ବିକ୍ରି କରୁଥିବା ଠକ କୋର୍ଟ ଚାଲାଣ।। ନଗଦ ୨୦ ହଜାର ଟଙ୍କା ସହ ନକଲି ସୁନା , ରୂପା ଗହଣା ଜବତ୍।।
ରାଉରକେଲା : ୯/୧ (ସତ୍ୟାନ୍ୟୁଜ) ନକଲି ସୁନାକୁ ଅସଲି ସୁନା କହି ବିକିବାକୁ ଆସିଥିବା ଏକ ଠକକୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଠକ ରାଞ୍ଚି ର ସନ୍ତୋଷ କୁମାର ସାହୁ ବୋଲି ପୋଲିସ୍ କହିଛି। ଏହି ଠକ ଠାରୁ ପୋଲିସ ୨୫ ଗ୍ରାମ ନକଲି ସୁନା , ୨୫୦ ଗ୍ରାମ ରୂପା , ନଗଦ ୨୦ ହଜାର ଟଙ୍କା , ମୋବାଇଲ୍ ଫୋନ୍ ଆଦି ଜବତ୍ କରିଛନ୍ତି। ଏ ବାବଦରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି।
ବୁଧବାର ପୂର୍ବାହ୍ନରେ ସନ୍ତୋଷ କିଛି ସୁନା ଗହଣା ନେଇ ଏମ୍ ଏନ୍ ଅଳଙ୍କାରକୁ ବିକ୍ରି କରିବାକୁ ଆସିଥିଲେ। ଏମ୍ ଏନ୍ ଅଳଙ୍କାର ମାଲିକ ରଞ୍ଜୟ ପ୍ରସାଦ ଙ୍କ ସନ୍ଦେହ ହେବାରୁ ସୁନା ପରୀକ୍ଷା ପରେ ଏହା ନକଲି ବୋଲି ଜଣା ପଡିଥିଲା। ଏପରିକି ଅନ୍ୟ ଗହଣା ରୁ ହଲ୍ ମାର୍କ ଥିବା ଖଣ୍ଡ କୁ କାଟି ନକଲି ଗହଣାରେ ଲଗାଇ ବିକ୍ରି କରିବାକୁ ଚେଷ୍ଟା କରିଥିଲା। ଏ ବାବଦରେ ସୁନା ଦୋକାନ ମାଲିକ ପୋଲିସକୁ ଖବର ଦେବାରୁ ଉକ୍ତ ଠକ ଫେରାର ହୋଇ ଯାଇଥିଲା। ଏହି ଠକ ବାବଦରେ ଏମ୍ ଏନ୍ ଜୁଏଲରସ୍ ମାଲିକ ସ୍ଵର୍ଣ୍ଣକାର ସଂଘ ଗ୍ରୁପ୍ ରେ ମେସେଜ୍ ପଠାଇ ଦେଇଥିଲେ। ପରେ ସହରର ମୁଖ୍ୟ ମାର୍ଗରେ ଥିବା ଅଗ୍ରୱାଲ ଜୁଏଲରସ୍ ରେ ଏହି ଠକ ପହଞ୍ଚି ନକଲି ସୁନା ବିକ୍ରି କରିବାକୁ ଉଦ୍ୟମ କରିଥିଲା। ପୂର୍ବରୁ ସ୍ଵର୍ଣ୍ଣକାର ସଂଘ ପକ୍ଷରୁ ସୂଚନା ପାଇଥିବାରୁ ଦୋକାନ ମାଲିକ ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ଉକ୍ତ ଠକକୁ ଗିରଫ କରିଥିଲେ।