ରାଉରକେଲା : ମଙ୍ଗଳ ଓରାମଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ।। ନିଖୋଜ ଚାଷୀ ମଙ୍ଗଳଙ୍କ ମୃତ ଦେହ ଝାରଖଣ୍ଡରୁ ଆସିଲା।
ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ରାଉରକେଲାରୁ ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଝରଖଣ୍ଡର ଜଳଡେଗାରୁ ମିଳିବା ପରେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକେ ମଙ୍ଗଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେକେ ଝିରିପାଣି ପୋଲିସ ଏକ ହତ୍ୟା ଏବଂ ଅପହରଣ ମାମଲା ଦାୟର କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବିରେ ଶନିବାର ସନ୍ଧ୍ୟାରେ ତେତେରକେଲା ପଞ୍ଚାୟତର ଲୋକମାନେ ଝିରିପାଣି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ସାମିଲ ହୋଇଥିଲେ। ହତ୍ୟାକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ମଙ୍ଗଳ ଓରାମ ନିଖୋଜ ହୋଇଥିବା ବେଳେ ମାର୍ଚ୍ଚ ୧ ତାରିଖରେ ତାଙ୍କ ମୃତ ଦେହ ଝାରଖଣ୍ଡର ଜଳଡେଗା ଥାନା ଅଞ୍ଚଳରୁ ମିଳିଥିଲା। ଜଳଡେଗା ପୋଲିସ ୫ ଦିନ ମୃତ ଦେହ ରଖିଲା ପରେ ପୋତି ଦେଇଥିଲେ। ଆଜି ୯ ଦିନ ପରେ ମୃତ ଦେହ ମାଟି ତଳୁ ବାହାର କରି ଜଳଡେଗା ପୋଲିସ ରାଉରକେଲା ପୋଲିସଙ୍କୁ ହସ୍ତାନ୍ତର କରିଥିଲା। ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର ପରେ ଆଜି ତାଙ୍କର ଦାହ ସଂସ୍କାର କରାଯାଇଛି।