ରାଉରକେଲା : କଲୁଙ୍ଗା ସାପ୍ତାହିକ ହାଟରେ ଗୁଳି ମାଡରେ ଜଣେ ଯୁବକ ଗୁରତର।। ତିନି ଅଭିଯୁକ୍ତ ଗିରଫ।। ୨ଟି ପିସ୍ତଲ , ୭ ଗୁଳି ଜବତ।
ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର ଅସ୍ତ୍ରୋପଚାର ପରେ ପିଠିରେ ପଶିଥିବା ଗୁଳିକୁ ବାହାର କରିଦେଇଛନ୍ତି। ଜମି କିଣାବିକା କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଫେରାର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ବ୍ରାହ୍ମଣୀତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ କୁଆରମୁଣ୍ଡା ବଜାରର ଏକ ମଦ ଦୋକାନ ନିକଟରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ପିସ୍ତଲ , ୭ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି।
ଅଭିଯୁକ୍ତ ମାନେ ହେଲେ ସୁନୀଲ ମାଝି , ବିନୟ ଲୋହାର ଓ ଝାଡ଼ଖଣ୍ଡର ବିଶାଳ ସିଂହ। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ କଲୁଙ୍ଗା କରୁଆବାହାଲ ବଜାରଦାଣ୍ଡ ବସ୍ତିରେ ସୁରେଶ ସୁରିନ ରହନ୍ତି। ଗତ ଦୁଇ ବର୍ଷ ଧରି ସୁନୀଲ ମାଝି ସହ ଜମିବାଡ଼ି କିଣାବିକାକୁ ନେଇ ତାଙ୍କର ବିବାଦ ଲାଗି ରହିଥିଲା। ଗୁରୁବାର କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁରେଶ କରୁଆବାହାଲ ସାପ୍ତାହିକ ହାଟକୁ ଆସିଥିଲେ। ହାଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିଲାବେଳେ ଏକ ବାଇକ୍ରେ ସୁନୀଲ, ବିନୟ ଓ ବିଶାଳ ପହଞ୍ଚି ପାଟିତୁଣ୍ଡ କରିଥିଲା। ପ୍ରତିବାଦ କରିବାରୁ ସୁନୀଲ ପକେଟରୁ ଏକ ପିସ୍ତଲ ବାହାର କରି ସୁରେଶଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ପିଠିରେ ବାଜିବାରୁ ସେ ତଳେ ପଡିଯାଇଥିଲେ। ଗୁଳିକାଣ୍ଡ ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ବାଇକରେ ଫେରାର ହୋଇଯାଇଥିଲା। ସୁରେଶଙ୍କୁ ଗୁରୁତର ଅବସ୍ଥା ତାଙ୍କ ସମ୍ପର୍କୀୟ ମାନେ ଉଦ୍ଧାର ଆର୍ଜିଏଚ୍କୁ ଆଣିଥିଲେ। ଖବର ପାଇ କଲୁଙ୍ଗା ଫାଣ୍ଡି ପୁଲିସ ସୁନୀଲ ଓ ତା’ର ଦୁଇ ସହଯୋଗୀଙ୍କ ପିଛା କରିଥିଲେ ହେଁ, ତା’ର ପତ୍ତା ମିଳିନଥିଲା। ଫେରାର ତିନି ଯୁବକ କଲୁଙ୍ଗାରୁ ଫେରାର ହୋଇ କୁଆରମୁଣ୍ଡା ବଜାରରେ ପହଞ୍ଚି ଏକ ମଦ ଦୋକାନକୁ ଯାଇଥିଲେ। ସେଠାରେ ମଦ ଦୋକାନୀକୁ ମଦ ମାଗିବା ସହ ବଟି ମାଗି ଥିଲେ। ଧମକ ଚମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଦଦୋକାନର କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପିଛା କରିଥିବା ବ୍ରାହ୍ମଣୀତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ମଦଦୋକାନ ନିକଟରୁ ତିନିଜଣଙ୍କୁ ଗିରଫ କରିଥିଲେ।