ରାଉରକେଲା : ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଉଦ୍ଧାର।। ଝାରଖଣ୍ଡର ଜଲଡେଗାରୁ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ରାଉରକେଲାରୁ ନିଖୋଜ ହୋଇଥିବା ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଝାରଖଣ୍ଡ ଜଳଡେଗାରୁ ଉଦ୍ଧାର କରାଯାଇଛି। ଫେବ୍ରୁଆରୀ ୨୯ ତାରିଖ ଦିନ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରୁ ବାହାରି ଭ୍ୟାନ୍ ସହ ମଙ୍ଗଳ ରାଉରକେଲା ଆସିଥିଲେ। ସେବେ ଠାରୁ ସେ ନିଖୋଜ ଥିଲେ। ତାଙ୍କ ମୃତ ଶରୀର ଜଳଡେଗାରେ ମିଳିବା ଖବର ପାଇବା ପରେ ରାଉରକେଲାରୁ ଡ଼ିଏସପି ପୁଷ୍ପାଲତା ନିଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍ ଜଳଡେଗରେ ପହଞ୍ଚି ତଦନ୍ତ କରୁଛନ୍ତି । ପରିବାର ଲୋକେ ମୃତ ମଙ୍ଗଳଙ୍କ ଫଟ ଦେଖି ଚିହ୍ନଟ କରିଥିବା ସୂଚନା ମିଳିଛି। ଖବର ପାଇ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ମଧ୍ୟ ଜଳଡେଗାରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟଯେ ମାର୍ଚ୍ଚ ୧ ତାରିଖ ଦିନ ଜଳଡେଗା ପୋଲିସ ମଙ୍ଗଳଙ୍କ ଶବ ଉଦ୍ଧାର କରିବା ପରେ ୫ ଦିନ ରଖିଥିଲେ। କେହି ଦାବିଦାର ନମିଳିବାରୁ ମଙ୍ଗଳଙ୍କ ଶବ ପୋତି ଦିଆଯାଇଥିଲା। ଗତକାଲି ମଙ୍ଗଳଙ୍କୁ ଖୋଜି ବାହାର କରିବାକୁ ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ପରିବାର ବର୍ଗ ଏବଂ ଗ୍ରାମବାସୀ ରାଉରକେଲା ଏସପିଙ୍କୁ ଭେଟିଥିଲେ। ମଙ୍ଗଳ ଓରାମଙ୍କୁ ଖୋଜିବାକୁ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।