ରାଉରକେଲା : ଆଉ ଦିନକ ପରେ ମହାଶିବରାତ୍ରି।। ବେଦବ୍ୟାସ ଶୈବ୍ୟପୀଠରେ ବ୍ୟାପକ ପ୍ରସ୍ତୁତି।। ବେଦବ୍ୟାସ ମେଳା ୧୦ ଦିନ ଚାଲିବ।

0 749

ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ଆଉ ଦିନକ ପରେ ମହାଶିବରାତ୍ରି। ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ଶୈବ୍ୟପୀଠରେ ଶୁକ୍ରବାର ଦିନ ମହାଶିବରାତ୍ରୀ ମହା ଆଡ଼ମ୍ବର ସହକାରରେ ପାଳନ କରାଯିବ। ଏ ନେଇ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ  ପ୍ରସିଦ୍ଧ ବେଦବ୍ଯାସ ମେଳା ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ଯନ୍ତ ଚାଲିବ। ଏଥିପାଇଁ ଦୋକାନ ବଜ଼ାର ଷ୍ଟଲ୍ ଲାଗିବା ସହ ଦୋଳି ମଧ୍ୟ ଲାଗି ଗଲାଣି। ନଦୀ ଘାଟ ଏବଂ ମନ୍ଦିର କଡରେ ବାରିକେଡିଂ କରାଯାଇ ସାରିଲାଣି।
ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ ପ୍ରତିବର୍ଷ ୧୫ ଦିନ ଧରି ମେଳା ଆୟୋଜନ କରାଯାଉଥିଲା। ଚଳିତ ବର୍ଷ ଏହି ଅବଧିକୁ ୧୦ ଦିନ କରାଯାଇଛି। 

ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ  ଆବଶ୍ଯକ ପୋଲିସ ଫୋର୍ସଙ୍କ ସହ ସିଭିଲ ଡିଫେନ୍ସର ସ୍ବେଚ୍ଛାସେବୀ ଙ୍କୁ ମଧ୍ୟ ନିୟୋଜିତ କରାଯିବ। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ୩୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯିବ।

ସେହିପରି ନଦୀ ଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରିବାକୁ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି।

ବେଦବ୍ୟାସ ପୀଠରେ ହେବାକୁ ଥିବା ମେଳାରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ୱାଟକୋ ଏବଂ ରାଉରକେଲା ମହାନଗର ନିଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ଟିପିଡବ୍ଲୁଓଡିଏଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମେଳାରେ ଅସ୍ଥାୟୀ ଚିକିତ୍ସା ଶିବିର ସହ ମେଡିକାଲ ଷ୍ଟାଫ ଓ ୨ଟି ଆମ୍ବୁଲାନ୍ସ ମହଜୁଦ୍ ରଖାଯିବ। ଏହାସହ ମେଳା ଏବଂ ମନ୍ଦିର ପରିସରକୁ ନିୟମିତ ସଫା ରଖିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ମେଳାରେ ଆଲୋକୀକରଣ, ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦେବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

Leave A Reply

Your email address will not be published.