ରାଉରକେଲା : ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା ବିରମିତ୍ରପୁର ପହଞ୍ଚିବ।। ମଙ୍ଗଳବାର ରାଉରକେଲାରେ ରୋଡ଼ ଶୋ।।
ରାଉରକେଲା : ୫/୨ (ସତ୍ୟାନ୍ୟୁଜ) ଆସନ୍ତାକାଲି ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରମିତ୍ରପୁରରେ ଆସି ପହଞ୍ଚିବେ। ଏହା ସହ ରାହୁଲଙ୍କ ‘ଭାରତ ଜୋଡୋ ନ୍ୟାୟ ଯାତ୍ରା’ ଓଡ଼ିଶାରେ ଆରମ୍ଭ ହେବ। ମଙ୍ଗଳବାର ଦିନ ଏହି ଯାତ୍ରା ଝାରଖଣ୍ଡରୁ ଆସି ବିରମିତ୍ରପୁରରେ ପ୍ରବେଶ କରିବ। ଅପରାହ୍ନ ସାଢେ ୩ଟା ବେଳେ ବିଜାବାହାଲ ରାମପାଲ ପଡ଼ିଆରେ ଜନ ସାଧାରଣଙ୍କୁ ରାହୁଲ ସମ୍ବନ୍ଧିତ କରିବେ। ଏଥି ଲାଗି ଆଜି ବିରମିତ୍ରପୁରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଗଲାଣି। ସୁନ୍ଦରଗଡ଼ ଅତିରିକ୍ତ ଏସପି , ବିରମିତ୍ରପୁର ଏସଡ଼ିପିଓ ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସୋମବାର ରାତିରେ ସେଠାରେ ରହିବା ସହ ମଙ୍ଗଳବାର ସକାଳେ ରାଉରକେଲା ପହଞ୍ଚିବେ। ବେଦବ୍ୟାସ ଶୈବ୍ୟ ପୀଠରେ ପହଞ୍ଚିବା ପରେ ପୂର୍ବାହ୍ନ ୧୦ଟାରେ ଉଦିତନଗର ଆମ୍ବେଦକର ଛକରୁ
ରୋଡ଼ ଶୋ କରିବେ। ପରେ ଏହି ଭାରତ ଜୋଡୋ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର , ସୁନ୍ଦରଗଡ଼ ଦେଇ ଝାରସୁଗୁଡାରେ ପହଞ୍ଚିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କ ଗସ୍ତକୁ ସଫଳ କରିବା ଲାଗି କଂଗ୍ରେସର ରାଜ୍ୟ ଏବଂ କେନ୍ଦ୍ର ସ୍ତରୀୟ ବରିଷ୍ଠ ନେତାମାନେ ଆସି ରାଉରକେଲାରେ ଡେରା ପକାଇଛନ୍ତି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ , ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ , ସନ୍ତୋଷ ସିଂ ସାଲୁଜା ପ୍ରମୁଖ ପହଞ୍ଚି ଗସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ବିଭିନ୍ନ ଛକ ସ୍ଥାନରେ ତଥା ରାସ୍ତା କଡରେ କଂଗ୍ରେସ ପତାକା , ବ୍ୟାନର ଆଦି ସ୍ଥାନ ପାଇଲାଣି। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।